ମୁମ୍ବାଇ, ୯/୧୧ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କାରବାର ଏଙ୍ଗଲରୁ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଜି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଚଢ଼ାଉ କରିଛି। ଏନସିବିର ଗୋଟିଏ ଟିମ ଅର୍ଜୁନ ରାମପାଲଙ୍କ ଘର ଓ ଅଫିସରେ ସର୍ଚ୍ଚ ଅପରେସନ କରିଛି। ଏନସିବି ସୂତ୍ର ଅନୁସାରେ, ଅର୍ଜୁନ ରାମପାଲଙ୍କ ଡ୍ରାଇଭରକୁ ହେପାଜତକୁ ନିଆଯାଇଛି। ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟିଙ୍କ ସହ ଅର୍ଜୁନ ରାମପାଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି।
ଏହା ପୂର୍ବରୁ ଏନସିବି ଡ୍ରଗ୍ସ ରଖିବା ଓ କାରବାର ମାମଲାରେ ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡ୍ସଙ୍କ ଭାଇ ଆଗିସିଆଲୋସଙ୍କୁ ପୁଣି ହେପାଜତକୁ ନେଇଛି। ଆଗିସିଆଲୋସଙ୍କୁ ପୂର୍ବରୁ ଜାମିନ ମିଳିଥିଲା। ଏହାପରେ ଏନସିବି ପୁଣିଥରେ ତାଙ୍କୁ ହେପାଜତକୁ ନେଇଛି। ଏନସିବି ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷିତିଜ ପ୍ରସାଦଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରିଛି।
ରବିବାର ଦିନ ଡ୍ରଗ୍ସ ଲିଙ୍କରେ ଏନସିବି ପ୍ରଯୋଜକ ଫିରୋଜ ନାଡିଆଡୱାଲାଙ୍କ ଘରେ ଚଢ଼ାଉ କରିଥିଲା। ଫିରୋଜଙ୍କ ଘରୁ ପାଖାପାଖି ୧୦ ଗ୍ରାମ ଡ୍ରଗ୍ସ ଜବତ କରିଥିଲା। ଫିରୋଜଙ୍କ ପତ୍ନୀଙ୍କୁ ଏନସିବି ଗିରଫ କରିଛି।
ଏନସିବି ଶନିବାର ଦିନ ମୁମ୍ବାଇରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବାଣିଜ୍ୟିକ ପରିମାଣର ଗଂଜେଇ, ଚରସ, ଓ ଡ୍ରଗ୍ସ ଜବତ କରିଥିଲା। ଶନିବାର ଦିନ ଚଢ଼ାଉ ପରେ ୪ଜଣଙ୍କୁ ହେପାଜତକୁ ନିଆଯାଇଥିଲା। ଏମାନଙ୍କୁ ପଚରାଉଚୁରା ଜାରି ରହିଛି।