ନୂଆଦିଲ୍ଲୀ, ୯/୧୧ : କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିଲାବେଳେ ଆମେରିକୀୟ ଔଷଧ ନିର୍ମାତା ଫାଇଜର ତାଙ୍କ କୋଭିଡ ଭେକ୍ସିନ ପରୀକ୍ଷଣ ସଫଳ ହୋଇଥିବା ଦାବି କରିବା ବିଶ୍ୱବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ଭେକ୍ସିନର ତୃତୀୟ ପର୍ଯ୍ୟୟ ପରୀକ୍ଷଣରୁ ୯୦ ପ୍ରତିଶତ ସଫଳତା ମିଳିଥିବା ଏହାକୁ ପ୍ରସ୍ତୁତ କରିଥିବା ଫାଇଜର ଓ ବାୟୋଏନ୍ ଟେକ୍ ଦାବି କରିଛନ୍ତି। ପୂର୍ବରୁ ଋଷ କରୋନା ଟୀକା ବାହାର କରିଥିଲେବି ତାହା ସେତେଟା ପ୍ରଭାବୀ ଓ ଫଳପ୍ରଦ ହୋଇପାରିନାହିଁ । ଫଳରେ ଫାଇଜର ଟୀକା ନୂଆ ଆଶା ସୃଷ୍ଟି କରିଛି ବୋଲି ଗବେଷକମାନେ ମତପୋଷଣ କରିଛନ୍ତି ।
ଫାଇଜର ଓ ବାଇଓଏନଟେକ ଦ୍ୱାରା ପ୍ରସ୍ତୁତ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆମେରିକା ଓ ଅନ୍ୟ ୫ ଦେଶର ୪୪ ହଜାର ଲୋକଙ୍କୁ ପଞ୍ଜୀକୃତ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ କୌଣସି କରୋନା ଟୀକା ଶତ ପ୍ରତିଶତ ଫଳପ୍ରଦ ହୋଇପାରିବ ନାହିଁ । ଅପରପକ୍ଷରେ ତୃତୀୟ ପର୍ଯ୍ୟାୟରେ ୫୦% ଫଳପ୍ରଦ ଟୀକାକୁ ବ୍ୟବସାୟ ପାଇଁ ଅନୁମତି ଦିଆଯାଇପାରିବ ବୋଲି ଆମେରିକା ଖାଦ୍ୟ ଓ ଡ୍ରଗ୍ସ ବିଭାଗ ମାନଦଣ୍ଡ ପ୍ରସ୍ତୁତ କରିଛି । ଫଳରେ ଫାଇଜର ଦ୍ୱାରା ପ୍ରସ୍ତୁତ ଟୀକାକୁ ଅନୁମତି ମିଳିବା ନିଶ୍ଚିତ ହୋଇଯାଇଛି ।
ପରୀକ୍ଷଣ ବେଳେ ଯେଉଁମାନେ ଦୁଇ ଡୋଜ ଟୀକା ନେଇଥିଲେ ସେମାନଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିପାରିନଥିଲା । ତେଣୁ କୋଭିଡ଼-୧୯କୁ ପ୍ରତିହତ ପାଇଁ ଏହି ଟୀକା ସକ୍ଷମ ବୋଲି ଫାଇଜରର ଅଧ୍ୟକ୍ଷ ତଥା ସିଇଓ ଆଲବର୍ଟ ବୌରଲା ପ୍ରକାଶ କରିଛନ୍ତି । ତେବେ ଅନ୍ୟ ଏକ ସୂତ୍ର ଅନୁଯାୟୀ ଏହି ଟୀକା ପ୍ରଥମେ ଆମେରିକାରେ ହିଁ ଉପଲବ୍ଧ ହେବ । ଯଦି ତୁରନ୍ତ କମ୍ପାନୀକୁ ଅନୁମତି ମିଳେ ୨୦୨୦ ସୁଦ୍ଧା କମ୍ପାନୀ ୪ କୋଟି ଡୋଜ ପ୍ରସ୍ତୁତ କରିବାକୁ ସକ୍ଷମ ହେବବୋଲି ବୌରଲା କହିଛନ୍ତି । ଅପରପକ୍ଷରେ ଚଳିତ ମାସ ଶେଷ ସୁଦ୍ଧା ମଡ଼ର୍ଣ୍ଣା ମଧ୍ୟ ଟୀକା ପ୍ରସ୍ତୁତି ପାଇଁ ଅନୁମତି ଆଣିବାକୁ ଆବେଦନ କରିବ ବୋଲି ସୂଚନା ଦେଇଛି ।