ବିହାର ନିର୍ବାଚନ ଫଳାଫଳରେ ନିରାଶ ଲାଲୁ ପ୍ରସାଦ ଯାଦବ

ରାଞ୍ଚି,୧୧/୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ନେଇ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବ ନିରାଶ ହୋଇଛନ୍ତି। ଲାଲୁ ଯାଦବ ବିହାର ନିର୍ବାଚନର ପରିଣାମ ଆସିବା ପରେ ସାଂପ୍ରତିକ ରାଜନୈତିକ ପରିଦୃଶ୍ୟ ଏବଂ ମେଣ୍ଟ ରାଜନୀତିରେ ସମ୍ଭାବନା ଖୋଜିବାକୁ ନିଜ ପୁଅ ଜେତସ୍ଵୀ ଯାଦବ ସମେତ ଅନ୍ୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି।

ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କାଟୁଥିବା ଲାଲୁ ପ୍ରସାଦ ଯାଦବ ରାଞ୍ଚିର ରିମ୍ସ ନିର୍ଦ୍ଦେଶକଙ୍କ କେଲି ବଙ୍ଗଳାରେ ଚିକିତ୍ସାଧୀନ ଅଛନ୍ତି। ସେଠାରୁ ସେ ନିଜର ସେବାଦାରଙ୍କ ଜରିଆରେ ବିହାର ବିଧାନସଭା ନିର୍ବାଚନର ମଙ୍ଗ ସମ୍ଭାଳିଥିବା ତେଜସ୍ଵୀ ଯାଦବଙ୍କୁ ସାନ୍ତ୍ଵନା ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ପ୍ରକାରର ବିପରୀତ ପରିସ୍ଥିତିରେ ମଧ୍ୟ ନିର୍ବାଚନରେ ପାର୍ଟିର ପ୍ରଦର୍ଶନ ସନ୍ତୋଷଜନକ ରହିଛି।

ଲାଲୁ କହିଛନ୍ତି ଯେଉଁଭଳି ବିହାର ବିଧାନସଭାରେ ଜନାଦେଶ ଆସିଛି, ସେଥିରେ ଏନଡିଏ ମେଣ୍ଟରେ ସାମିଲ ବିଜେପି-ଜେଡିୟୁ ବ୍ୟତୀତ ଅନ୍ୟ ଦୁଇ ଦଳର ମହତ୍ଵ ମଧ୍ୟ ବଢି ଯାଇଛି। ଏମିତି ସ୍ଥିତିରେ ମେଣ୍ଟ ରାଜନୀତିରେ ସମ୍ଭାବନା ସର୍ବଦା ରହିଥାଏ। ୟୁପିଏର ସମସ୍ତ ବିଧାୟକଙ୍କୁ ଏକଜୁଟ ରଖି ଭବିଷ୍ୟତର ରାଜନୀତି ସମ୍ଭାବନା ଏବଂ ବିକଳ୍ପ ଖୋଜିବା ଦିଗରେ ପ୍ରୟାସ ଜାରି ରଖିବାକୁ ଲାଲୁ କହିଛନ୍ତି।