କୋହଲି ନୁହେଁ, ରୋହିତ ଶର୍ମା ଭାରତର ଟି -୨୦ କ୍ୟାପଟେନ ହେବା ଉଚିତ : ମାଇକେଲ୍‌ ଭନ୍

ନୂଆଦିଲ୍ଲୀ, ୧୨/୧୧ : ମଙ୍ଗଳବାର ଦିନ ଆଇପିଏଲ୍‌ ୨୦୨୦ ଫାଇନାଲରେରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଚମ ଥର ଚାମ୍ପିୟନ୍‌ କରାଇଥିବା ରୋହିତ ଶର୍ମାଙ୍କୁ ଭାରତୀୟ ଟି-୨୦ ଟିମ୍‌ରେ କ୍ୟାପ୍ଟେନ କରିବାକୁ ଦାବି ଜୋର ଧରିଛି। ବହୁ ବଡ଼ ବଡ଼ କ୍ରିକେଟ ପ୍ଲେୟର ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ରୋହିତ ଶର୍ମାଙ୍କୁ ଓ୍ବାନ୍‌ଡେ ଓ ଟି-୨୦ରେ ଅଧିନାୟକ ରଖିବା ନେଇ ମନ୍ତବ୍ୟ ଦେଇ ସାରିଛନ୍ତି।
ତେବେ ଏନେଇ ସମାନ ମତ ରଖିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌। ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍‌ ଟାଇଟଲ୍‌ ଜିଣିବା ପରେ ଭନ କହିଛନ୍ତି ଟି-୨୦ ଅଧିନାୟକ ଭାବେ ରୋହିତ ବେଷ୍ଟ କିନ୍ତୁ କୋହଲି ଧିମା।
ବିବିସିକୁ ଏକ ସାକ୍ଷାତକାରରେ ମାଇକେଲ କହିଛନ୍ତି, ‘ବିରାଟ କୋହଲିଙ୍କ ଘରୋଇ ଟି-୨୦ କ୍ରିକେଟରେ ରେକର୍ଡ ଭଲ ନାହିଁ। ସେ ଭାରତ କିମ୍ବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ କୌଣସି ଟାଇଟଲ୍‌ ଜିଣି ନାହାନ୍ତି। ଏବେ ପର୍ଯ୍ୟନ୍ତ ଆରସିବି ଜିତି ପାରିନାହିଁ। ମୋ ମତରେ ରୋହିତ ଶର୍ମା ଭଲ ଟି-୨୦ ଅଧିନାୟକ। କୋହଲିଙ୍କ ଠାରୁ ଟି-୨୦ ମ୍ୟାଚ୍‌କୁ ଅଧିକ ଭଲ ଭାବେ ଜାଣିଛନ୍ତି ରୋହିତ। ସେ ବିରାଟଙ୍କ ଠାରୁ ସ୍ପିଡ୍‌।’
ଏଥିରେ କୌଣସି ସନ୍ଦେହ ନାହିଁ ଯେ ରୋହିତ ଶର୍ମା ଟି-୨୦ରେ କ୍ୟାପ୍ଟେନ ହୁଅନ୍ତୁ। ସେ ନିଜ ଖେଳାଳିଙ୍କୁ ଭଲ ଭାବେ ବୁଝିବା ସହ ସେମାନଙ୍କ ଉପଯୋଗ କରନ୍ତି। ସେ ଜଣେ ଲିଡର। ତାଙ୍କୁ ଜଣା ଅଛି ଯେ ଟି-୨୦ ମ୍ୟାଚ୍‌ କିପରି ଜିତି ହେବ । ଏହାସହ ଭାରତୀୟ ଟିମ୍‌ ପ୍ରତି ଫର୍ମାଟ ପାଇଁ ଅଲଗା କ୍ୟାପ୍ଟେନ ବାଛିବାକୁ ପରାମର୍ଶ ଦେଇଛନ୍ତି ମାଇକେଲ୍‌ ଭନ୍‌।
ତେବେ ଏହା ଦ୍ବାରା ବିରାଟ କୋହଲିଙ୍କ ଉପରୁ ଚାପ କମିବ ଓ ସେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଭନ୍‌ ଆଶା ପ୍ରକଟ କରିଛନ୍ତି। ମାଇକେଲଙ୍କ ପୂର୍ବରୁ ଏନେଇ ଗୌତମ ଗମ୍ଭୀର ମଧ୍ୟ ମତ ରଖିଥିଲେ।