ବଲାଙ୍ଗୀର, ୧୨/୧୧: ବଲାଙ୍ଗୀର ଜିଲ୍ଲା ଦେଓଗାଁ ପୋଲିସ୍ ଗତ ଦୁଇ ମାସ ଭିତରେ ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରୀ, ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛିl ଡକାୟତି କରିଥିବା ଯୁବକମାନଙ୍କ ନାମରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଜିଲ୍ଲାର ବିଭିନ୍ନ ଥାନାର ଅପରାଧିକ ମାମଲା ରୁଜୁ ହୋଇଛି। ଏହି ଡକାୟତି ଉଦ୍ୟମ ବେଳେ ବ୍ୟବହୃତ ଏବଂ ଚୋରି ହେଇଥିବା ୧୧ଟି ବାଇକ, ୭ଟି ମୋବାଇଲ ସହିତ ୫ ହଜାର ୩୭୦ ଟଙ୍କା ମଧ୍ୟ ଜବତ କରିଛି।
ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳ ଲୋଚନ ମାଝୀ ଗତ ବୁଧୁବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦେଷଣ୍ଡ- ବନ୍ଧପଡ଼ା ରାସ୍ତାରେ ଏକ ନମ୍ବର ବିହୀନ ବାଇକରେ ଆସୁଥିବା ଦେଶଣ୍ଡ ଗାଁର ସନ୍ତୋଷ କଲେତକୁ ସନ୍ଦେହ ପଚରାଉଚାର କରାଯାଇଥିଲା। ତାହା ଏକ ଚୋରି ବାଇକ ବୋଲି ଜାଣିବାକୁ ମିଳିଥିଲା। ଯାହାକି ଦେଓଗାଁ ଥାନା କେସ ନମ୍ବର ୨୬୩ରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ୍।
ଦେଓଗାଁ ଥାନା କେସ ନମ୍ବର ୨୪୬ ଓ ୨୬୩ରେ ଜଡ଼ିତ ଥିବା ଧଣ୍ଡାମାଲ ଗାଁର ଅବିନାଶ ନାଗ (୨୧), ଦେଷଣ୍ଡ ଗାଁର ସନ୍ତୋଷ କଲେତ (୨୬), ସେବକ ନାଏକ (୨୫), ସଇଁତଲା ଥାନା ରେଙ୍ଗାଲୀ ନୂଆଁବସ୍ତିର ରାକେଶ ହରପାଳ(୨୫), ସୁବରାଜ ବାରିକ (୨୬), କେନ୍ଦୁଉଡ଼ାରର ଈଶ୍ୱର ଚନ୍ଦ୍ର ଗୁର୍ଦ୍ଦା (୩୧), ବେଳପଡା ଥାନା ଡୁଙ୍ଗୁରିଗୁଡା ଗାଁର ପ୍ରତାପ ସୁନା ( ୨୩)କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବଲାଙ୍ଗୀର ଏସ ଡି ପି ଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି l