ମୋ ଜେଲ ସେଲ ଏବଂ ୱାଶରୁମରେ ଲଗାଯାଇଥିଲା ଗୁପ୍ତ କ୍ୟାମେରା : ମରିୟମ ନୱାଜ

ଇସଲାମାବାଦ, ୧୩/୧୧ : ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ଉପାଧ୍ୟକ୍ଷ ମରିୟମ ନୱାଜ ଶରୀଫ ବର୍ତ୍ତମାନର ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସରକାରଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମରିୟମ ପାକିସ୍ତାନୀ ଜେଲରେ ମହିଳାଙ୍କ ସହିତ ହେଉଥିବା ବେଆଇନ କାର୍ଯ୍ୟର ଖୁଲାସା କରିଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ, ସେ ୨ ଥର ଜେଲ ଯାଇଛନ୍ତି । କିନ୍ତୁ ଜେଲର ଯେଉଁ ସେଲରେ ତାଙ୍କୁ ରଖାଯାଇଥିଲା, ସେଠାରେ ଚାରିଆଡୁ କ୍ୟାମେରା ଲଗାଯାଇଥିଲା । ଏପରିକି ଗାଧୁଆ ଘରରେ ମଧ୍ୟ ଗୁପ୍ତ କ୍ୟାମେରା ଖଂଜାଯାଇଥିଲା । ମରିୟମ ନୱାଜ ଗଣମାଧ୍ୟମକୁ କହିଛନ୍ତି, ଜେଲରେ ମହିଳା କଏଦୀଙ୍କ ସହିତ ହୋଇଥିବା ବେଆଇନ କାମ ସଂପର୍କରେ ଯଦି ସବିଶେଷ ତଥ୍ୟ ପ୍ରକାଶ କରନ୍ତି, ତେବେ ଇମ୍ରାନ ସରକାର ନିଜର ଭାବମୂର୍ତ୍ତି ଲୁଚାଇବା ଲାଗି ସ୍ଥାନ ମିଳିପାରିବନାହିଁ ।

ଇମ୍ରାନ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଯଦି ସେମାନେ କବାଟ ଭାଙ୍ଗି ମରିୟମ ନୱାଜଙ୍କ ବେଡରୁମକୁ ପ୍ରବେଶ କରିପାରନ୍ତି, ତା’ହେଲେ ବାଥରୁମରେ କ୍ୟାମେରା ଲଗାଇବା ବଡ଼ କଥା ନୁହେଁ । ଆପଣ ବୁଝିପାରୁଥିବେ ଯେ, ଅନ୍ୟ ମହିଳାଙ୍କ ସହିତ କ’ଣ ହୋଇଥିବ ।