ଯବାନଙ୍କ ସହ ସୀମାରେ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ଆଜି ସାରା ଦେଶ ପାଳନ କରୁଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଳିତ ଥର ଜୟସାଲମେର ସୀମାରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବେ ବୋଲି ସୂଚନା ମିଳିଛି। ତାଙ୍କ ସହିତ ସିଡିଏସ୍‌ ବିପିନ ରାୱତ, ସେନା ମୁଖ୍ୟ ଏମଏମ ନରଓ୍ୱଣେ ମଧ୍ୟ ସାମିଲ୍ ହେବା ସମ୍ଭାବନା ରହିଛି। ମୋଦୀ ପ୍ରଧାନମନ୍ତ୍ରୀ ହେବାଠାରୁ ଅଦ୍ୟାବଧି ପ୍ରତିବର୍ଷ ଚୀନ କିମ୍ବା ପାକିସ୍ତାନ ସୀମାନ୍ତରେ ଯବାନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରିଆସୁଛନ୍ତି। ଗତ ବର୍ଷ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରର ରଜୌରୀ ନିକଟ ନିୟନ୍ତ୍ରଣ ରେଖାଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ୨୦୧୮ରେ ଉତ୍ତରାଖଣ୍ଡ ସୀମାନ୍ତରେ ଓ ୨୦୧୭ରେ ଉତ୍ତର କଶ୍ମୀରର ଗୁରେଜ ସେକ୍ଟରରେ ଦୀପାବଳି ପାଳନ କରିଥିଲେ। ସେହିପରି ୨୦୧୫ରେ ପଞ୍ଜାବ ସୀମା ଓ ୨୦୧୪ରେ ସିଆଚେନ ଗ୍ଲାସିୟରର ବେସ କ୍ୟାମ୍ପରେ ଯବାନଙ୍କ ସହିତ ଦୀପାବଳି ପାଳିଥିଲେ। ଏହା ମାଧ୍ୟମରେ ସେ ସୀମାନ୍ତ ଘାଟି ପରିଦର୍ଶନ ସହିତ ଯବାନଙ୍କ ମନୋବଳ ବୃଦ୍ଧି ଉଦ୍ୟମ କରିଆସିଛନ୍ତି।