ଭୁବନେଶ୍ୱର, ୧୪/୧୧ : ଓଡ଼ିଆ ଯୁବ ଗବେଷଣାକାରୀ ଡ. ରଞ୍ଜିତ୍ ପାଣିଗ୍ରାହୀ, ଡ. ଆକାଶ କୁମାର ଭୋଇ ଓ ଡ. ପ୍ରଦୀପ କୁମାର ମଲ୍ଲିକ ତଥା ତାଙ୍କ ସହଯୋଗୀଙ୍କ ମିଳିତ ଉଦ୍ୟମରେ ଅଷ୍ଟ୍ରେଲୀୟ ଇନୋଭେସନ୍ ପେଟେଣ୍ଟ୍(ଆଇ.ପି) ଏବଂ ଅନୁଦାନକୁ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି । ମେସିନ୍ ଲର୍ଣିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସର ଗବେଷଣା କ୍ଷେତ୍ରରେ ଏମାନଙ୍କର ଅକ୍ଳାନ୍ତ ଶ୍ରମସାଧନ ପରିଶେଷରେ ସାର୍ଥକ ହୋଇଛି । ମେସିନ୍ ଲର୍ଣିଂ ହେଉଛି କୃତ୍ରିମ ବୁଦ୍ଧିମତ୍ତା, ଯାହାର ପ୍ରୟୋଗ ଦ୍ୱାରା ସିଷ୍ଟମ୍ ଗୁଡ଼ିକୁ ସ୍ୱୟଂଚାଳିତ ଭାବେ ଶିଖିବା ଏବଂ ଅଭିଜ୍ଞତାରୁ ଉନ୍ନତି ସାଧନ କରିବାର କ୍ଷମତା ପ୍ରଦାନ କରିଥାଏ । ଏହା କମ୍ପ୍ୟୁଟର ପ୍ରୋଗ୍ରାମ୍ର ବିକାଶ ଉପରେ ବିଶେଷ ଧ୍ୟାନ ଦେଇଥାଏ । ଇଣ୍ଟରନେଟ୍ ମାଧ୍ୟମରେ ଅନ୍ୟାନ୍ୟ ଉପକରଣ ତଥା ତଥ୍ୟ ସଂଯୋଗ ଓ ଆଦାନ ପ୍ରଦାନ କ୍ଷେତ୍ରରେ ଏହା ପୂର୍ଣ୍ଣରୂପେ କାର୍ଯ୍ୟ କରିପାରିବ । ପ୍ରଥମ ଅଷ୍ଟ୍ରେଲୀୟ ଆଇ.ପି, ମେସିନ୍ ଲର୍ଣିଂ ଏବଂ ଆଇ.ଓ.ଟି ଆଧାରିତ ସ୍ମାର୍ଟ ସେଲ୍ଫ୍ ଆଡଜଷ୍ଟିଂ ପଟିସିଟ୍, ୨୮ ଅକ୍ଟୋବର ୨୦୨୦ରେ ପ୍ରଦାନ କରାଯାଇଛି । ଏହା ସାଧାରଣତଃ ଉପଭୋକ୍ତାଙ୍କ ଉଚ୍ଚତା ଏବଂ ଅଣ୍ଟା ଆକାର ଉପରେ ଆଧାର କରି ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରେ । ସ୍ମାର୍ଟ ଟୟଲେଟ୍କୁ କାର୍ଯ୍ୟକାରିତା ସହିତ ସ୍ୱଚ୍ଛତା ବଜାୟ ରଖିବାରେ ଏହା ବିଶେଷ ଧ୍ୟାନ ଦେଇଥାଏ । ଦ୍ୱିତୀୟ ଅଷ୍ଟ୍ରେଲୀୟ ଆଇ.ପି ମେସିନ୍ ଲର୍ଣିଂ ଆଧାରିତ, ଯାହାକି ୧୧ ନଭେମ୍ବର ୨୦୨୦ରେ ପ୍ରଦାନ କରାଯାଇଛି । ବ୍ୟକ୍ତିଗତ ଶାରୀରିକ ସୁସ୍ଥତା ସହିତ ଏହା ଜଡିତ । ଏହା ବିଶେଷ ଭାବେ ୟୁଜରର୍ସର ପ୍ରତିଛବି ପ୍ରତିଫଳିତ କରିବା ସହ ତାଙ୍କ ସମ୍ପର୍କରେ ପୂର୍ଣ୍ଣ ସୂଚନା ପ୍ରଦାନ କାରିଥାଏ । ଏହା ଦର୍ପଣରେ ପ୍ରଦର୍ଶିତ ଗତିବିଧିକୁ ଅନୁକରଣ କରିବାକୁ ଉପଭୋକ୍ତାଙ୍କୁ ନିର୍ଦ୍ଦେଶ ଦେଇଥାଏ ।
ଓଡ଼ିଆ ଯୁବ ଅନୁସନ୍ଧାନକାରୀଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି, ଯାହାକି ଅନ୍ୟମାନଙ୍କୁ ନୂତନ ମାର୍ଗ ପ୍ରଦର୍ଶନ କରିବ । ଏହି ପ୍ରତିଭାବାନ୍ ଯୁବକମାନେ ହେଉଛନ୍ତି ଡ. ରଞ୍ଜିତ୍ ପାଣିଗ୍ରାହୀ, ଅଧୁନା ଆସିଷ୍ଟାଣ୍ଟ୍ ପ୍ରଫେସର କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗ, ମଣିପାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିକିମ୍ରେ କାର୍ଯ୍ୟରତ । ସେ ନୂଆଶାସନ ଭଦ୍ରକ ନିବାସୀ ସ୍ୱର୍ଗତଃ ପିତା ପୀତବାସ ପାଣିଗ୍ରାହୀ ଏବଂ ଅନ୍ନପୂର୍ଣ୍ଣା ପାଣିଗ୍ରାହୀଙ୍କ ସୁପୁତ୍ର ଅଟନ୍ତି । ଡ. ଆକାଶ କୁମାର ଭୋଇ, ଆସିଷ୍ଟାଣ୍ଟ୍ ପ୍ରଫେସର ଇଲେକ୍ଟରିିକାଲ୍ ଏବଂ ଇଲୋକ୍ଟ୍ରୋନିକ୍ସ୍ ଇଞ୍ଜିନୟରିଂ ମଣିପାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସିକିମ୍ରେ କାର୍ଯ୍ୟରତ । ସେ ବାବୁବନ୍ଧ ସମ୍ବଲପୁର ନିବାସୀ ଦେବାନନ୍ଦ ଭୋଇ ଏବଂ କୃଷ୍ଣା ଭୋଇଙ୍କ ସୁସନ୍ତାନ ଅଟନ୍ତି । ଡ. ପ୍ରଦୀପ କୁମାର ମଲ୍ଲିକ୍ ଆସୋସିଏଟ୍ ପ୍ରଫେସର କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ କିଟ୍ ଡିମଡ୍ ୟୁନିଭରସିଟିରେ କାର୍ଯ୍ୟରତ । ସେ ରଘୁନାଥପୁର କେନ୍ଦୁଝର ନିବାସୀ ତଥା ସୁବାସ ଚନ୍ଦ୍ର ମଲ୍ଲିକ୍ ଏବଂ ସରସ୍ୱତୀ ମଲ୍ଲିକଙ୍କ ସୁପୁତ୍ର ଅଟନ୍ତି । ଓଡ଼ିଆ ପୁଅ ଭାବେ ଏହି ସଫଳତା ପାଇଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।