ନୂଆଦିଲ୍ଲୀ, ୧୪/୧୧: ବିରେନ୍ଦ୍ର ସେହ୍ବାଗ ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୦ ପାଇଁ ନିଜର ଟିମ ଗଠନ କରିଛନ୍ତି। ଦୁବାଇରେ ଖେଳାଯାଇଥିବା ଆଇପିଏଲର ୧୩ତମ ସଂସ୍କରଣର ସମାପ୍ତ ପରେ ଭାରତର ଏହି ବିସ୍ପୋରକ ବ୍ୟାଟ୍ସମ୍ୟାନ ଆଇପିଏଲ ୨୦୨୦ର ଖେଳାଳି ଏକାଦଶ ପ୍ରସ୍ତୁତ କରିଛନ୍ତି।
ନିଜ ପସନ୍ଦର ବେଷ୍ଟ ଆଇପିଏଲ୍ ପ୍ଲେଇଂ ଇଲେଭେନ୍ରେ ଅଧିନାୟକ ଭାବେ ରୋହିତ ଶର୍ମା ନୁହେଁ ବରଂ ବିରାଟ କୋହଲିଙ୍କୁ ଅଧିନାୟକ ଭାବେ ବାଛିଛନ୍ତି ସେହ୍ବାଗ। କ୍ରିକ୍ବଜ୍ ଲାଇଭରେ ପ୍ରତିକ୍ରିୟା ଦେଇ ସେହ୍ବାଗ୍ ନିଜ ଟିମ୍ର ଓପନର କେଏଲ୍ ରାହୁଲ ଓ ‘ଇମର୍ଜିଂ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ’ ଦେବଦତ୍ତ ପଡ୍ଡିକଲଙ୍କୁ ବାଛିଛନ୍ତି। ଦେବଦତ୍ତ ଟୁର୍ଣ୍ଣାମେଣ୍ଟରେ ୩୧.୫୩ ଆଭେରେଜ୍ ସହ ୧୫ ମ୍ୟାଚ୍ରେ ୪୭୩ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ୫ଟି ଅର୍ଦ୍ଧଶକତ ବି ଲଗାଇଥିଲେ ପଡ୍ଡିକଲ୍।
ଏହି ଟିମ୍ରେ ତୃତୀୟ ନମ୍ବରରେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କୁ ଖେଳାଇବାକୁ ଚାହିଁଛନ୍ତି ସେହ୍ବାଗ। ଏହା ସହ ଅଧିନାୟକ ବିରାଟ କୋହଲିଙ୍କୁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ସେହ୍ବାଗ ମନସ୍ଥ କରିଛନ୍ତି। ତେବେ କୋହଲିଙ୍କ ପରେ ପଞ୍ଚମ ନମ୍ବରରେ ହାଇଦ୍ରାବାଦ କ୍ୟାପ୍ଟେନ୍ ଡେଭିଡ୍ ଓ୍ବାର୍ଣ୍ଣର ଖେଳିବେ ବୋଲି ସେହ୍ବାଗ ବାଛିଛନ୍ତି।
ଏହା ସହ ଏବି ଡିଭିଲିୟର୍ସଙ୍କୁ ବି ନିଜ ଟିମ୍ରେ ସ୍ଥାନ ଦେଇଛନ୍ତି ସେହ୍ବାଗ। ବୋଲରଙ୍କ ଲିଷ୍ଟରେ ରାବଡା, ଜସପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କୁ ନେଇଛନ୍ତି ବିରେନ୍ଦ୍ର ସେହ୍ବାଗ। ସ୍ପିନ୍ ବୋଲିଂ ପାଇଁ ୟୁଜବେନ୍ଦ୍ର ଚହଲ ଓ ରଶିଦ ଖାନଙ୍କୁ ସେହ୍ବାଗ ନିଜ ଟିମରେ ନେଇଛନ୍ତି ।
ସେହ୍ବାଗଙ୍କ ବେଷ୍ଟ ଆଇପିଏଲ୍ ପ୍ଲେଇଂ ଇଲେଭେନ୍
କେଏଲ ରାହୁଲ, ଦେବଦତ୍ତ ପଡ୍ଡିକଲ, ସୂର୍ଯକୁମାର, ବିରାଟ କୋହଲି (ଅଧିନାୟକ), ଡେଭିଡ ଓ୍ବାର୍ଣ୍ଣର, ଏବି ଡିଭିଲିୟର୍ସ, ରାବଡା, ଜସପ୍ରୀତ ବୁମରା, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ରଶିଦ ଖାନ। ଏହା ସହ ୧୨ ତମ ଖେଳାଳି ଇଶାନ କିଶନ ଓ ୧୩ ତମ ଖେଳାଳି ଜୋଫ୍ରା ଆର୍ଚର ।