ଶ୍ରୀନଗର, ୧୫/୧୧ : ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ ପାଇଁ ଆସନ ବାଣ୍ଟିବା ନେଇ ମତଭେଦ ହେବା ପରେ ପିଡିପିର ପ୍ରତିଷ୍ଠାତା ସଦସ୍ୟ ମୁଜାଫର ହୁସେନ ବେଗ ଶନିବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଦଳ ସହିତ ୨୨ ବର୍ଷର ସଂପର୍କକୁ ଶେଷ କରିଛନ୍ତି ।
ପିଡିପି ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ମୁଜାଫର ହୁସେନ ବେଗ ପିଡିପି ସଂରକ୍ଷକ ମେହବୁବା ମୁଫତିଙ୍କୁ ପାର୍ଟି ଛାଡ଼ିବା ନେଇ ନିଷ୍ପତ୍ତି ସଂପର୍କରେ କହିଛନ୍ତି । ମୁଜାଫର ହୁସେନ ବେଗ ୧୯୮୮ରେ ପିଡିପିର ପ୍ରତିଷ୍ଠା ସମୟରେ ଦଳ ସହିତ ଯୋଡ଼ି ହୋଇଥିଲେ । ପିଡିପି ପାର୍ଟି ସୂତ୍ର ଅନୁସାରେ ମୁଜାଫର ହୁସେନ ବେଗ ପିପୁଲ୍ସ ଏଲାୟନ୍ସ ଫର ଗୁପକର ଡିକ୍ଲୋରେଶନ (ପିଏଜିଡି) ଦ୍ୱାରା ସିଟ ଭାଗବଣ୍ଟା, ବିଶେଷ କରି ଉତ୍ତର କଶ୍ମୀରରେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ । ପିଏଜିଡିରେ ନ୍ୟାସନାଲ କନଫରେନ୍ସ, ପିଡିପି, ପିପୁଲ୍ସ କନଫରେନ୍ସ ଓ ମାକପା ସାମିଲ ଅଛି ।