ନୂଆଦିଲ୍ଲୀ, ୧୫/୧୧ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୪୧ ହଜାର ୧୦୦ ନୂଆ ସଂକ୍ରମଣ ସହ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୮ ଲକ୍ଷ ୧୪ ହଜାର ୫୭୯ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୪୪୭ ଜଣ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୨୯ ହଜାର ୬୩୫କୁ ବୃଦ୍ଧି ପାଇଛି। ଦେଶରେ ଏବେ ୪ ଲକ୍ଷ ୭୯ ହଜାର ୨୧୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୮୨ ଲକ୍ଷ ୫ ହଜାର ୭୨୮ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ଆଗାମୀ ଦିନରେ ସଂକ୍ରମଣର ୨ୟ ଲହରୀ ଆସିବାର ଆଶଙ୍କା କରୁଛନ୍ତି ବିଶେଷଜ୍ଞ ଓ ସରକାର । ଏ ନେଇ ଲୋକଙ୍କୁ ସତର୍କ ରହିବା ସହ କରୋନା ପ୍ରୋଟୋକଲ ମାନି ଚଳିବା ପାଇଁ କୁହାଯାଉଛି।