ଆଜିଠାରୁ ନୀତୀଶଙ୍କ ସପ୍ତମ ପାଳି ଆରମ୍ଭ, ଅପରାହ୍ନରେ ନେବେ ଶପଥ

ପାଟନା, ୧୬/୧୧ : ବିହାରରେ ସରକାର ଗଠନ ଲାଗି ପାଟନାଠାରେ ନବନିର୍ବାଚିତ ଏନ୍‍ଡିଏ ବିଧାୟକଙ୍କ ବୈଠକରେ ନୀତୀଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଛି। ଆଜି ସେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏବଂ ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ଏହା ତାଙ୍କର ଚତୁର୍ଥ ପାଳି ହେବ। ରାଜ୍ୟରେ ସରକାର ଗଠନ ନେଇ ଏନ୍‍ଡିଏ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ସେହି ଦୃଷ୍ଟିରୁ ରାଜ୍ୟପାଳ ସରକାର ଗଠନ ପାଇଁ ଏନ୍‍ଡିଏକୁ ଆମନ୍ତ୍ରଣ କରିଛନ୍ତି। ତେବେ ମନ୍ତ୍ରିମଣ୍ଡଳକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ବିଜେପି ପାଖରେ ଏନ୍‌ଡିଏର ସର୍ବାଧିକ ୭୪ ବିଧାୟକ ଥିବା ବେଳେ ଜେଡିୟୁର ବିଧାୟକ ସଂଖ୍ୟା ହେଉଛି ୪୩। ସହଯୋଗୀ ଦଳ ହମ୍‌ ଏବଂ ଭିଆଇପି ନିକଟରେ ୪ଟି ଲେଖାଏ ଆସନ ରହିଛି।

ସୂଚନା ଅନୁଯାୟୀ, ଏଥର ନିର୍ବାଚନରେ ନୀତୀଶ କହିଥିଲେ ଯେ, ୨୦୨୦ ନିର୍ବାଚନ ପାଇଁ ଏହା ତାଙ୍କର ଶେଷ ଲଢ଼େଇ । ଯେହେତୁ ନୀତୀଶ ଏହା ନିର୍ବାଚନ ପ୍ରଚାର ସମୟରେ ଘୋଷଣା କରିଥିଲେ, ସେ ବିହାରବାସୀଙ୍କୁ କ’ଣ ଦେଇ ରାଜନୀତିରୁ ବିଦାୟ ନେବେ, ତାହା ଆଗାମୀ ଦିନର ସମୟ କହିବ ।