ନୀଳଗିରିରେ ହାତୀ ଉପଦ୍ରବ: ଏକର ଏକର ଧାନ ଫସଲ ନଷ୍ଟ

ଭୁବନେଶ୍ୱର, ୧୬/୧୧ : ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡ ହାତୀପଲ ମାଡି ଆସିଛନ୍ତି। ଅଂଚଳରେ ହାତୀପଲ ବ୍ୟାପକ ଧାନଫସଲ ନଷ୍ଟ କରିଥିବା ଜଣାଯାଇଛି । ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ହାତୀପଲଙ୍କ ଦୌରାତ୍ମ ଯୋଗୁଁ ଚାଷୀ ବ୍ୟାପକ କ୍ଷୟକ୍ଷତି ସହିଛି । ବନବିଭାଗ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ କରୁଛି ।

ସୂଚନା ଅନୁସାରେ ହାତୀପଲ ମୟୂରଭଂଜ ଜିଲ୍ଲା ପୁନ୍ଦାଳ ଦେଇ ଆସିଛନ୍ତି । ହାତୀମାନେ ଗୋପାଳପୁର ଅଂଚଳରେ ପହଂଚିବା ପରେ ରାତିରେ ଧାନଖାଇଥିଲେ । ହାତୀମାନେ ଧାନ ଖାଇବା ଅପେକ୍ଷ ଅଧିକ ନଷ୍ଟ କରିଥିଲେ ।

ଉଲ୍ଲେଖଯୋଗ୍ୟ, ବିଗତ କିଛି ବର୍ଷ ହେଲା ନୀଳଗିରି ଅଂଚଳକୁ ହାତୀପଲ ଆସୁଛନ୍ତି । ଏହି ଅଂଚଳରେ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ହାତୀମାନେ ଫସଲ ନଷ୍ଟ କରିବା ସହିତ ଧନଜୀବନକୁ ମଧ୍ୟ କ୍ଷତି ପହଂଚାଉଛନ୍ତି । ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇ ଜରୁରୀକାଳୀନ ପରିସ୍ଥିତିରେ ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।