ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୬/୧୧ : କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଛଟ ପୂଜା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ ଏହି କଟକଣା ଲଗାଯାଇଛି ।

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଏକ ଆଦେଶ ଅନୁସାରେ ଛଟ ପୂଜା ବେଳେ ବହୁସଂଖ୍ୟାରେ ଲୋକମାନେ ନଦୀ କୂଳ ଓ ଘାଟଗୁଡ଼ିକରେ ଏକତ୍ରିତ ହୋଇପୂଜା କରୁଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି । ଲୋକମାନେ ନଦୀକୁ ଆସିବା ବଦଳରେ ଘରେ ରହି ଉପଯୁକ୍ତ କରୋନା ସତର୍କତା ସହ ଛଟ ପୂଜା ପାଳନ କରିବାକୁ ରାଜ୍ୟ ସରକାର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । କଟକଣା ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି । ଘରେ ରହି ଛଟ୍ ପୂଜା କରିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି ।