ଧଉଳି ଥାନା ଟେଲିଫୋନ ଚାରିମାସ ହେଲା ଅଚଳ : BSNLର ଅବହେଳା

ଭୁବନେଶ୍ୱର,୧୬ /୧୧ – (ପ୍ରଦୀପ୍ତ କୁମାର ଦାସ) : ସ୍ଥାନୀୟ ଧଉଳି ଥାନାର ଟେଲିଫୋନ ଦୀର୍ଘ ଚାରି ମାସ ହେଲା ଅଚଳ ହୋଇ ରହିଛି । କମିସନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ ଏହି ଥାନାର ବିଏସଏନଏଲ ଲ୍ୟାଣ୍ଡଲାଇନ ଟେଲିଫୋନ ନମ୍ବର (0674-2465105) ଦୀର୍ଘଦିନ ଧରି ଏପରି ସେଵାବିହୀନ ଅବସ୍ଥାରେ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଏହି ପୋଲିସ ଥାନା ସହ ଯୋଗାଯୋଗ କ୍ଷେତ୍ରରେ ଜନସାଧାରଣ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମ୍ପୃକ୍ତ ଥାନା ଅଂଚଳରେ ଭୁବନେଶ୍ୱର ଉପକଣ୍ଠର ବହୁ ଗ୍ରାମ,ନୂତନଭାବେ ଗଢ଼ିଉଠିଥିବା ଅନେକ ଆବାସିକ କଲୋନୀ,ଐତିହାସିକ ସ୍ଥାନ,ଐତିହ୍ୟସମ୍ପର୍ଣ୍ଣ ସ୍ଥଳୀ ଓ ବିଶେଷକରି ଧଉଳି ଶାନ୍ତି ସ୍ତୁପ ଭଳି ବିଶ୍ୱ ତଥା ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଅବସ୍ଥିତ । ନିୟମିତ ଭାବେ ସମ୍ପୃକ୍ତ ଅଂଚଳରେ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷା ତଥା ନିରାପତ୍ତା ସାଙ୍ଗକୁ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟରେ ଏହି ଟେଲିଫୋନର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ମାତ୍ର ଏହିସେବା ପାଇବାରୁ ଜନସାଧାରଣ ଓ ସେହି ଅଂଚଳକୁ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନେ ବଂଚିତ ହେଉଛନ୍ତି । ତେବେ ଏନେଇ ଧଉଳି ଥାନା ଅଧିକାରୀ ଦୟାନିଧି ନାଏକଙ୍କୁ ପଚାରିବାରୁ ହଁ ଟେଲିଫୋନ ଅଚଳ ହୋଇଯାଇଛି । କେବୁଲ ସମସ୍ୟା ଯୋଗୁଁ ଏପରି ଅସୁବିଧା ସୃଷ୍ଟିହୋଇଛି ।

ଆମେ ବିଏସଏନଏଲରେ ଏନେଇ ଅଭିଯୋଗ କରିଛୁ ବୋଲି ସେ କହିଥିଲେ । ବାରମ୍ବାର ଥାନା ପକ୍ଷରୁ ତୁରନ୍ତ ଏହାର ପୁନଃରୁଦ୍ଧାରକରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆମେ ବିଏସଏନଏଲରେ ଆପତ୍ତି ଜଣାଇ ଆସୁଛୁ ବୋଲି ମଧ୍ୟ ସମ୍ପୃକ୍ତ ଥାନାର ଅନ୍ୟ ଜଣେ ଅଧିକାରୀ କହିଥିଲେ । ସେହିପରି ଏନେଇ ସ୍ଥାନୀୟ ଅଂଚଳର ବିଭାଗୀୟ ଯନ୍ତ୍ରୀ ଦୀପକ ପାତ୍ରଙ୍କ ମତାମତ ଜାଣିବା ଲାଗି ତାଙ୍କ ମୋବାଇଲ ସହ ଯୋଗାଯୋଗ କରାଯାଇଥିଲା । ମାତ୍ର ସେ କଲ ରିସିଭ କରିନଥିଲେ । ତେଣୁ ବିଏସଏନଏଲ ଡିଜିଏମ ସିଟି ଜୟନ୍ତୀ ପଣ୍ଡାଙ୍କୁ ସୋମବାର ଜନସାଧାରଣଙ୍କ ପକ୍ଷରୁ ଏହାକୁ ଆଶୁ କାର୍ଯ୍ୟକ୍ଷମ କରିବା ଲାଗି ଆପତ୍ତି କରାଯାଇଛି । ବିଏସଏନଏଲ ଏଜିଏମ ସିଟି ପୁରୁଷୋତ୍ତମ ମାଝୀଙ୍କୁ ଏବାବଦରେ ପଚାରିବାରୁ,ସେ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ତେବେ ବିଏସଏନଏଲର ଅବହେଳା ଯୋଗୁଁ ଜରୁରୀକାଳୀନ ପୋଲିସ ସେବା ସାଙ୍ଗକୁ ଟେଲିଫୋନ ସେବାଭଳି ଅତ୍ୟାବଶ୍ୟକୀୟ ସେବା ବ୍ୟବସ୍ଥା ଅନ୍ତର୍ଭୁକ୍ତ ଏହି ସେବା ପାଇବା କ୍ଷେତ୍ରରେ ଜନସାଧାରଣ ଏପରି ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି ।