ନୂଆଦିଲ୍ଲୀ,୧୭ /୧୧ : ଆସନ୍ତାକାଲି ଜିଏସ୍ଟି ପରିଷଦ ‘ଲ’ କମିଟିର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ନୂଆଦିଲ୍ଲୀରେ ହେବ।ବୈଠକରେ ଜିଏସ୍ଟି ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ କଡାକଡି କରିବା ଉପରେ ଆଲୋଚନା କରାଯିବ । ଜିଏସ୍ଟି ଆଇନରେ ଆବଶ୍ୟକ ଆଇନ୍ଗତ ସଂଶୋଧନ ଆଣିବା ପାଇଁ ଅନ୍ୟାନ୍ୟ ଆଇନ୍ଗତ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି। ଦେଶବ୍ୟାପୀ ଜିଏସ୍ଟି ମିଥ୍ୟା ଇନ୍ଭଏସ୍ ଜାଲିଆତି ରୋକିବା ପାଇଁ ଅଭିଯାନର ଅଂଶସ୍ୱରୂପ ଏହି ବୈଠକ ଡକାଯାଇଛି। ଗତ ୪ ଦିନ ଭିତରେ ଜିଏସ୍ଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଦ୍ୱାରା ୨୫ଜଣ ଲୋକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨ ଜଣ ପେଶାଦାର ଅଛନ୍ତି ଓ ଏ କ୍ଷେତ୍ରରେ ୩୫୦ଟି ମାମଲା ରୁଜୁ କରାଯାଇଛି।