ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ, ୧୮/୧୧: ତାଳଚେରର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିବା ସୂଚନା ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ମଧ୍ୟ ଚଢ଼ାଉ ଜାରି ରହିଥିବା ଯୋଗୁଁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ଭିଜିଲାନ୍ସ ବିଭାଗ ।

ଖବର ଅନୁଯାୟୀ, ଚନ୍ଦ୍ରମଣି ସାହୁଙ୍କ ତାଳଚେର ସ୍ଥିତ ଅଫିସ, ଢେଙ୍କାନାଳ ସହରର ଟାଉନପ୍ଲାନିଙ୍ଗ ସ୍ଥିତ ବାସଭବନ, ଷ୍ଟେସନ ବଜାର ସ୍ଥିତ ଘର, ମହାବୀର ବଜାରରେ ଥିବା ଶ୍ୱଶୁର ଘର, ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱର ଟଙ୍କପାଣି ସ୍ଥିତ ଫ୍ଲାଟରେ ଏକା ସାଙ୍ଗେ ଚଢାଉ ଜାରି ରହିଛି । କଟକ ଭିଜିଲାନ୍ସ ଶାଖା ତରଫରୁ ଆଜି ସକାଳ ସମୟରୁ ଏହିସବୁ ସ୍ଥାନରେ ଚଢାଉ ଜାରି ରହିଛି ।