ଭୁବନେଶ୍ୱର, ୧୮/୧୧ : ରାଜ୍ୟରେ ବଢିବ ଶୀତ । ଆହୁରି ଥରାଇବ । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୨୨ ତାରିଖରୁ ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ଖସିବା ସହିତ ରାଜ୍ୟରେ ଶୀତର ମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି । ଆସନ୍ତା ୨୦ ଓ ୨୧ ତାରିଖ ବେଳେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ହ୍ରାସ ଯୋଗୁଁ ଶୀତ ଅନୁଭୂତ ହେବ। ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନପୁରଠାରେ ୧୫.୪ ଡିଗ୍ରି ରେକର୍ଡ କରାଯାଇଛି। ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ କୋରାପୁଟଠାରେ ସର୍ବନିମ୍ନ ୧୫.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି ।
୨୦ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, କନ୍ଧମାଳ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିରୁ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୨୧ ତାରିଖ ଦିନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବର୍ଷା ହୋଇପାରେ । ନଭେମ୍ବର ୨୦ରୁ ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା କମିବା ଆରମ୍ଭ ହେବ । ୨୨ ତାରିଖ ଭିତରେ ୫ ଡିଗ୍ରୀ ବା ତା’ଠାରୁ ଆହୁରି ତଳକୁ ପାରଦ ଖସିବା ସହ ଶୀତ ବଢ଼ିବ ।