ହେଲମେଟ୍ ନପିନ୍ଧିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର, ୧୯/୧୧: ଏଣିକି ହେଲମେଟ୍ ନପିନ୍ଧିଲେ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ ମଧୁସୂଦନ ପାଢୀ। ରାଜ୍ୟରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୁର୍ଘଟଣା ବଢୁଥିଲେ ବି ଲୋକମାନେ ହେଲମେଟ୍ ପିନ୍ଧିବାକୁ ହେୟ ଜ୍ଞାନ କରୁଛନ୍ତି। ସର୍ଭେ ଅନୁସାରେ ଏକ ତଥ୍ୟ ସାମ୍ନାକୁ ଆସିଛି। ଗତ ୨୦୧୯ ମସିହାରେ ବାଇକ ଦୁର୍ଘଟଣା ବହୁ ମାତ୍ରାରେ ହୋଇଛି। ସେମାନଙ୍କୁ ମଧ୍ୟରୁ କିଛି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କୁ ମଧ୍ୟରୁ ଅଧିକାଂଶ ହେଲମେଟ୍ ପିନ୍ଧି ନଥିଲେ। ଏସବୁ ଦୃଷ୍ଟିରୁ ହେଲମେଟ ନିୟମ କଡ଼ାକଡ଼ି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ୨୦୧୯ରେ ହେଲମେଟ ଆଇନର ଉଲ୍ଲଂଘନ ପାଇଁ କେତେଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି ଓ ୨୦୨୦ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ଏ ନେଇ ଜିଲ୍ଲାସ୍ତରୀୟ ରିପୋର୍ଟ ଦାଖଲ କରିବାକୁ ଦୁଇ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟଙ୍କ କମିଟିର ଅବଗତି ନିମନ୍ତେ ଏହି ରିପୋର୍ଟ ସାତ ଦିନ ମଧ୍ୟରେ ଦାଖଲ କରିବାକୁ ଡିଜିପି ଓ ପରିବହନ କମିସନରଙ୍କୁ କୁହାଯାଇଛି।