ମାଲଦା, ୧୯/୧୧ : ପଶ୍ଚିମବଙ୍ଗର ମାଲ୍ଦା ଜିଲ୍ଲାର ଏକ ପ୍ଲାଷ୍ଟିକ୍ କାରଖାନାରେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ମାଲଦା ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣା ବସତଃ ଏହି ବିସ୍ଫୋରଣ ହୋଇଥିବା ପଶ୍ଚିମବଙ୍ଗ ଗୃହ ବିଭାଗ କହିଛନ୍ତି।
କାରଖାନାରେ ବ୍ୟବହୃତ ଇଲେକ୍ଟ୍ରିକାଲ୍ ମେସିନ୍ଗୁଡ଼ିକରୁ ଗୋଟିକରେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ମାଲଦା ଏସ୍ପି ଆଲୋକ ରାଜରାୟ କହିଛନ୍ତି, କାରଖାନା ବିସ୍ଫୋରଣରେ ସମୁଦାୟ ପାଞ୍ଚଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କାରଖାନାରେ ଥିବା ୪୫ ଅଶ୍ବଶକ୍ତିସମ୍ପନ୍ନ ଏକ ବୈଦ୍ୟୁତିକ ମେସିନ୍ରେ କିଛି ବୈଷୟିକ ତ୍ରୁଟିଯୋଗୁଁ ବିସ୍ଫୋରଣ ଘଟିଛି।
ମୃତବ୍ୟକ୍ତିଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଏବଂ ଆହତମାନଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ପରିସ୍ଥିତିର ସମୀକ୍ଷା ନିମନ୍ତେ ବରିଷ୍ଠ ମନ୍ତ୍ରୀ ଫାର୍ହଦ୍ ହକିମ୍ଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।