୧୦ ମିନିଟରେ ଲୁଟିନେଲେ ୧୦ କୋଟି ଟଙ୍କାର ସୁନା : କଟକରେ ଚାଞ୍ଚଲ୍ୟ

କଟକ,୧୯ /୧୧: କଟକରେ ଏକ ଫାଇନାନ୍ସ କମ୍ପାନିରୁ ଆଜି ବଡ଼ ଧରଣର ଡକାୟତି ଘଟିଛି। କଟକସ୍ଥିତ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ୧୦ କୋଟି ଟଙ୍କାର ସୁନା ଡକାୟତି ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ ଭିତରକୁ ପଶି କର୍ମଚାରୀମାନଙ୍କୁ ଭୟଭୀତ କରି ୧୦କୋଟି ଟଙ୍କାର ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ, ଆଜି କଟକ ନୟାସଡ଼କ ସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର (ଆଇଆଇଏଫ୍‌ଏଲ୍)କୁ ଚାରି ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୦ କୋଟିର ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଲାଲବାଗ ଥାନା ପୁଲସି ପହଞ୍ଚି ତଦନ୍ତ ଆରମ୍ଭ କରିଥିବା‌ବେଳେ ସିସିଟିଭି ଫୁଟେଜ୍‌ ଜବତ କରିଛି। କମିଶ‌ନ୍‌ରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ ଗଠନ କରି ର୍ଦୁବୃତ୍ତଙ୍କୁ ଠାବ କରାଯିବ ବୋଲି ସୂଚନା ମିଳିଛି। ତେବେ ଲୁଟ୍‌ ଖବର ପାଇ ସ୍ଥାନୀୟ ପୋଲିସ ଓ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି । କଟକ ଲୁଟ୍ ଘଟଣାରେ ବ୍ୟାଙ୍କର ୪ କର୍ମଚାରୀ ଅଟକ ରହିଛନ୍ତି। ୪ ଜଣଙ୍କୁ ପୁଲିସ୍ ଅଟକ ରଖି ପୁଲିସ୍ ପଚରାଉଚାର କରୁଛି।