ଭୀଷଣ ଅବପାତର ରୂପ ନେବ ‘ନିଭାର୍’ : ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସ୍.ଆର୍.ସି

ଭୁବନେଶ୍ୱର, ୨୪/୧୧ : ଆସୁଛି ବାତ୍ୟା । ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଭୀଷଣ ଅବପାତ ରୂପ ନେଇଛି । ଆସନ୍ତା ୪୮ଘଣ୍ଟା ଭିତରେ ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍‌’। ଓଡ଼ିଶାକୁ ବିପଦ ନଥିଲେ ବି ୨୫ରୁ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସ୍.ଆର୍.ସି ।

ସୋମବାର ସନ୍ଧ୍ୟା ସାଢ଼େ ୫ଟା ବେଳେ ଭୀଷଣ ଅବପାତ (ଡିପ୍‌ ଡିପ୍ରେସନ୍‌) ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିଲା । ଘଣ୍ଟାକୁ ୧୪ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରୁଛି। ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେବ। ଆସନ୍ତା ୨୫ ତାରିଖ ସନ୍ଧ୍ୟାରେ ତାମିଲନାଡ଼ୁ-ପୁଡୁଚେରି ଉପକୂଳର କାରାଇକାଲାମ ଓ ମାମାଲ୍ଲାପୁରମ ମଧ୍ୟରେ ଉପକୂଳ ଛୁଇଁବ। ସେତେବେଳକୁ ବାତ୍ୟା ପ୍ରକୋପରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ଓ ମଝିରେ ମଝିରେ ୧୨୦ କିମି ବେଗରେ ପବନ ଆଶଙ୍କା ଅଛି।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ବାତ୍ୟାର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଫୁଲବାଣୀ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଆଂଶିକ ପ୍ରଭାବ ଅନୁଭୂତ ହେବ। ୨୫ରୁ ପାଗ ମେଘୁଆ ଓ କୋହଲା ରହିବ। କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ।

ପାଣିପାଗ ବିଭାଗ ସୂଚନାନୁସାରେ, ମଙ୍ଗଳବାର ଗଜପତି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ବୁଧବାର ମାଲକାନଗିରି, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କନ୍ଧମାଳରେ ବର୍ଷା ହୋଇପାରେ। ମାଲକାନଗିରି, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁରରେ ବର୍ଷା ସମ୍ଭାବନା ଅଛି ।