ଅଷ୍ଟ୍ରେଲିଆଠୁ ସିରିଜ ହାରିଲାପରେ କ୍ୟାପଟେନ ଓ କୋଚଙ୍କୁ ବଦଳାଇବାକୁ ଦାବି, ଏହି ଖେଳାଳିଙ୍କୁ ଦଳର ନେତୃତ୍ୱ ଦେବାକୁ ପ୍ରଶଂସକଙ୍କ ମତ

ନୂଆଦିଲ୍ଲୀ, ୩୦/୧୧ : ସିଡନୀରେ ଗତକାଲି ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ଅଷ୍ଟ୍ରେଲିଆଠୁ ୫୧ ରନରେ ପରାଜିତ ହେବା ସହ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ‌ ସିରିଜ ହାତଛଡା କରିଛି। ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ସବୁ ଥର ପରି ଏଥର ବି ସାମାଜିକ ଗଣମାଧ୍ୟମରେ ଅଧିନାୟକ ଓ ଦଳର ମୁଖ୍ୟ ପ୍ରଶିକ୍ଷକ ଟାର୍ଗେଟ୍‌ରେ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ବିରାଟ କୋହଲିଙ୍କୁ ଅଧିନାୟକ ଓ ରବି ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ହଟାଇବାକୁ ଦାବି କରିଛନ୍ତି। କିନ୍ତୁ ସବୁଠୁ ବଡ କଥା ପ୍ରଶଂସକ ଦଳର ନେତୃତ୍ଵ ଦାୟିତ୍ଵ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେବା କଥା କହିଛନ୍ତି।

ସିଡନୀରେ ଦ୍ଵିତୀୟ ଦିନିକିଆ ପରାଜୟ ପରେ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ରଣନୀତିକୁ ସମାଲୋଚନା କରିଛନ୍ତି। ଉଭୟଙ୍କୁ ତୁରନ୍ତ ପଦରୁ ହଟାଇବାକୁ ଦାବି କରିଛନ୍ତି। ଏହା ପରେ ରୋହିତ ଶର୍ମା ଓ ଏମଏସ ଧୋନୀ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ ହେବାରେ ଲାଗିଛନ୍ତି। ଏଥିରେ ପ୍ରଶଂସକ ଲେଖିଛନ୍ତି, ଏବେ ରୋହିତ ଶର୍ମାଙ୍କୁ ଅଧିନାୟକ କରିବାର ସମୟ ଆସି ଯାଇଛି। ଏଥିସହ ଏମଏସ ଧୋନୀଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ କରିବା ଉଚିତ୍ ବୋଲି ପ୍ରଶଂସକ କହିଛନ୍ତି। ନଚେତ୍ ଟିମ୍ ଇଣ୍ଡିଆର ସ୍ଥିତି ଆହୁରି ଖରାପ ହେବ ବୋଲି ପ୍ରଶଂସ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଦିନିକିଆ ଶୃଙ୍ଖଳାରେ ରୋହିତ ଶର୍ମା ଓ ଧୋନୀଙ୍କୁ ପ୍ରଶଂସକ ଖୁବ୍ ମନେ ପକାଉଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଦିନିକିଆ ଶୃଙ୍ଖଳା ଜିତିଥିଲା ଏବଂ ଯାହାର ହିରୋ ମହେନ୍ଦ୍ର ସିଂହ ଧୋନୀ ଥିଲେ। ଅନ୍ୟପଟେ ରୋହିତ ଶର୍ମା ଗତ ଅନେକ ସମୟ ଧରି ଭଲ ଫର୍ମରେ ଅଛନ୍ତି। କିନ୍ତୁ ଦିନିକିଆ ଓ ଟି-୨୦ ସିରିଜ୍‌ରୁ ସେ ଦଳ ବାହାରେ ଅଛନ୍ତି। କୁହାଯାଉଛି ସେ ଫିଟ୍ ନାହାନ୍ତି, କିନ୍ତୁ ଦଳରୁ ବାହାରେ ରଖାଯିବା ନେଇ ଅନ୍ୟ କିଛି କାରଣ ଥିବା କୁହାଯାଉଛି।