ସୁପରସୋନିକ୍ ଜାହାଜ ବିଧ୍ୱଂସୀ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ, ୧/୧୨ : ଚୀନ ସହିତ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତ ନିଜର ଶକ୍ତି ବୃଦ୍ଧି କରିବାକୁ ପ୍ରୟାସ ଜାରି ରଖିଛି । ଗତ ୩ ମାସରେ ଭାରତ ଗୋଟିଏ ପରେ ଗୋଟିଏ କ୍ରୁଜ୍ ଓ ବାଲିଷ୍ଟିକ୍ ମିସାଇଲରର ପରୀକ୍ଷଣ କରିଚାଲିଛି । ଏଭିତରେ ଆଜି ଭାରତୀୟ ନୌସେନା ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ୍ ମିସାଇଲର ଆଣ୍ଟି ସିପ୍ ବା ଜାହାଜ ବିଧ୍ୱଂସୀ ଭର୍ସନକୁ ସଫଳ ପରୀକ୍ଷଣ କରିଛି । ଆଣ୍ଡାମାନ ନିକୋବର ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଥିଲା । ଏହାପୂର୍ବରୁ ନଭେମ୍ବର ୨୪ରେ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଥିଲା ।

ଭାରତ ଓ ଋଷର ମିଳିତ ଉଦ୍ୟମରେ ସୁପରସୋନିକ୍ କ୍ରୁଜ ମିସାଇଲ ବ୍ରହ୍ମୋସର ବିଭିନ୍ନ ସଂସ୍କରଣର ପରୀକ୍ଷଣ କରାଯାଇଛି । ବ୍ରହ୍ମୋସ ନିଜ ଶ୍ରେଣୀରେ ବିଶ୍ୱର ସବୁଠାରୁ ଦ୍ରୁତ ପରିଚାଳନା ପ୍ରଣାଳୀ ଅଟେ । ଏହା ଡିଆରଡିଓ ଦ୍ୱାରା ବିକଶିତ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ରୁ ୪୫୦ କିମିକୁ ବୃଦ୍ଧି କରାଯାଇଛି । ଏହାର ନୌସେନା ସଂସ୍କରଣକୁ ଅକ୍ଟୋବର ୧୮ରେ ଆରବ ସାଗରରେ ସଫଳ ପରୀକ୍ଷଣ କରାଯାଇଥିଲା ।

ପରୀକ୍ଷଣରେ ବ୍ରହ୍ସୋର ୪୦୦ କିମିର ଲକ୍ଷ୍ୟ ଭେଦ କରିଥିଲା । ଏହାପରେ ନଭେମ୍ବର ୨୪ରେ ଆଣ୍ଡାମାନ ନିକୋବର ଦ୍ୱୀପରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ଲ୍ୟାଣ୍ଡ୍ ଆଟାକ୍ ଭର୍ସନର ପରୀକ୍ଷଣ ମଧ୍ୟ ସଫଳ ହୋଇଥିଲା । ମଙ୍ଗଳବାର ସୁପରସୋନିକ କ୍ରୁଜ୍ ମିସାଇଲ ବ୍ରହ୍ମୋସର ଆଣ୍ଟି ସିପ୍ ଭର୍ସନର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ବାୟୁସେନା ଓ ନୌସେନାରେ ଆଗାମୀ କିଛି ମାସରେ ବ୍ରହ୍ମୋସର ନୂଆ ସଂସ୍କରଣର ପରୀକ୍ଷଣ ହେବ ।