ନୂଆଦିଲ୍ଲୀ, ୨/୧୨ : ଚୀନ ତିବତରେ ବ୍ରହ୍ମପୁତ୍ର ନଦୀରେ ଡ୍ୟାମ ନିର୍ମାଣ କରିବାକୁ ଘୋଷଣା କରିଛି । ଏହାର ଜବାବରେ ମୋଦୀ ସରକାର ମଧ୍ୟ ଅରୁଣାଚଳ ପ୍ରଦେଶରେ ଏକ ବଡ଼ ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛି । ଏଥି ସହିତ ଏଠାରେ ୧୦ ଗିଗାୱାଟର ହାଇଡ୍ରୋ-ପାୱାର ପ୍ରକଳ୍ପ ମଧ୍ୟ ଛିଡା କରାଯିବ । ଭାରତର ଏହି କାଉଣ୍ଟର ଆଟାକ ଯୋଜନାରେ ନିଶ୍ଚିତ ଭାବେ ଚୀନର ଚିନ୍ତା ବଢ଼ିଯାଇଥିବ ।
ଜଳ ଶକ୍ତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଟିଏସ ମେହରା କହିଛନ୍ତି, ଚୀନ ଡ୍ୟାମର ନକରାତ୍ମକ ପ୍ରଭାବକୁ କମ କରିବା ଲାଗି ଅରୁଣାଚଳ ପ୍ରଦେଶରେ ବ୍ରହ୍ମପୁତ୍ର ଉପରେ ଏକ ବଡ଼ ଡ୍ୟାମର ଆବଶ୍ୟକତା ରହିଛି । ଆମେ ଏସଂକ୍ରାନ୍ତରେ ସରକାରଙ୍କୁ ପ୍ରସ୍ତାବ ପଠାଇଛୁ । ସେ କହିଛନ୍ତି ଯେ, ଡ୍ୟାମ ନିର୍ମାଣ ହେବା ଦ୍ୱାରା ଭାରତ ପାଖରେ ଅଧିକ ଜଳ ଧାରଣ କରିବାର କ୍ଷମତା ରହିବ ଏବଂ ଚୀନର କୌଣସି ଖରାପ ମାନସିକତାକୁ ଉଚିତ ଜବାବ ମିଳିପାରିବ ।
ବ୍ରହ୍ମପୁତ୍ର ନଦୀ ତିବରୁ ବାହାରି ଭାରତର ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବାଂଲାଦେଶକୁ ପ୍ରବାହିତ ହୋଇଛି । ଭାରତର ଡ୍ୟାମ ପୂର୍ବାଚଂଳକୁ ଜଳ କଷ୍ଟ ଓ ଅଚାନକ ବନ୍ୟାଦାଉରୁ ମଧ୍ୟ ରକ୍ଷା କରିବ । ମେହରା କହିଛନ୍ତି ଯେ, ପୂର୍ବୋତ୍ତର ଅଂଚଳରେ ଭଲ ବର୍ଷା ଯୋଗୁଁ ମୌସୁମୀ ସମୟରେ ଭାରତରେ ବ୍ରହ୍ମପୁତ୍ର ନଦୀର ୯୦ ପ୍ରତିଶତ ପାଣି ଏହାର ଶାଖା ନଦୀ ଦେଇ ଆସିଥାଏ ।