ନୂଆଦିଲ୍ଲୀ : ସୀମାରେ ଲାଗିରହିଥିବା ତିକ୍ତତା ମଧ୍ୟରେ ଭାରତରୁ ପ୍ରଥମ ଥର ପାଇଁ ଚାଉଳ ଆମଦାନି କରିବା ଆରମ୍ଭ କରିଛି ଚୀନ। ତିନି ଦଶନ୍ଧି ମଧ୍ୟରେ ଚୀନ୍ ପ୍ରଥମ ଥର ପାଇଁ ଭାରତରୁ ଚାଉଳ ଆମଦାନି କରିବା ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ଅଧିକାରୀ।
ଚାଉଳ ରପ୍ତାନୀରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ରପ୍ତାନୀକାରୀ ଏବଂ ଚୀନ ହେଉଛି ବିଶ୍ୱର ସବୁଠାରୁ ବଡ ଆମଦାନୀକାରୀ । ବେଜିଂ ବାର୍ଷିକ ପ୍ରାୟ ୪ନିୟୁତ ଟନ୍ ଚାଉଳ ଆମଦାନି କରେ। କିନ୍ତୁ ଗୁଣାତ୍ମକ ସମସ୍ୟା ଦର୍ଶାଇ ଭାରତରୁ ଚାଉଳ କ୍ରୟକୁ ବନ୍ଦ କରିଦେଇଥିଲା ଚୀନ, ଯାହାକୁ ଏବେ ପୁଣି ଆରମ୍ଭ କରାଯାଇଛି। ଭାରତୀୟ ଫସଲର ଗୁଣବତ୍ତା ଦେଖିବା ପରେ ଚୀନ ଆସନ୍ତା ବର୍ଷ କ୍ରୟ ବୃଦ୍ଧି କରିପାରେ ବୋଲି ଚାଉଳ ରପ୍ତାନିକାରୀ ସଂଘର ସଭାପତି ବି.ଭି କ୍ରିଷ୍ଣା ରାଓ କହିଛନ୍ତି। ଶିଳ୍ପ ଅଧିକାରୀମାନେ କହିଛନ୍ତି ଯେ, ଗୋଟେ ଟନକୁ ୩୦୦ଡଲାର ହିସାବରେ ଡିସେମ୍ବର-ଫେବୃଆରିରେ ପରିବହନ ପାଇଁ ୧୦୦,୦୦୦ ଟନ୍ ଚାଉଳ ରପ୍ତାନି କରିବାକୁ ଭାରତୀୟ ବ୍ୟବସାୟୀମାନେ ଚୁକ୍ତି କରିଛନ୍ତି।