କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ ଇନଷ୍ଟିଚ୍ୟୁଟ, ହେଲା ପ୍ରଥମ ସ୍ୱଦେଶୀ କଂପାନୀ

ନୂଆଦିଲ୍ଲୀ, ୭/୧୨ : ବ୍ରିଟିଶ କମ୍ପନୀ ଫାଇଜର ପରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ଭାରତରେ ଅକ୍ସଫୋର୍ଡ ଦ୍ୱାରା ବିକଶିତ କୋଭିଡ-୧୯ ଟିକା କୋଭିଶିଲ୍ଡର ଜରୁରୀକାଳୀନ ବ୍ୟବହାରକୁ ଔପଚାରିକ ଭାବେ ମଂଜୁରୀ ପାଇଁ ଭାରତୀୟ ଔଷଧୀ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିବା ସହିତ ପ୍ରଥମ ସ୍ୱଦେଶୀ କଂପାନୀ ହୋଇପାରିଛି । ବିଶ୍ୱସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ମିଳିଛି ।

ସୂତ୍ର ଅନୁସାରେ କଂପାନୀ ମହାମାରୀ ସମୟରେ ଚିକିତ୍ସା ଆବଶ୍ୟକତା ଓ ବ୍ୟାପକ ସ୍ତରରେ ଜନତାଙ୍କ କଲ୍ୟାଣ ପାଇଁ ଟିକାର ବ୍ୟବହାରକୁ ମଂଜୁରୀ ଦେବାକୁ ଅନୁରୋଧ କରିଛି । ଏହା ପୂର୍ବରୁ ଆମେରିକୀୟ ଔଷଧ ଉତ୍ପାଦନକାରୀ ସଂସ୍ଥା ଫାଇଜର ଭାରତୀୟ ଶାଖା ଦ୍ୱାରା ବିକାଶିତ କୋଭିଡ-୧୯ ଟିକାର ଜରୁରୀକାଳନୀ ବ୍ୟବହାର ପାଇଁ ଡିସିଜିଆଇ ନିକଟରେ ଆବେଦନ କରିଛି ।

ସୂଚନାଯୋଗ୍ୟ, ରୁଷିଆର ରାଜଧାନୀ ମସ୍କୋରେ ଶନିବାର ଠାରୁ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଔଷଧ ଉତ୍ପାଦନକାରୀ କଂପାନୀ ଫାଇଜରର ଭାରତୀୟ ଶାଖା ନିଜ ଦ୍ୱାରା ବିକଶିତ କୋଭିଡ-୧୯ ଟିକାର ଜରୁରୁୀକାଳୀନ ବ୍ୟବହାର ଔପଚାରିକ ଭାବେ ମଂଜୁରୀ ଲାଗି ଭାରତୀୟ ଔଷଧୀ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି । ଏହା ବ୍ୟତୀତ ଔଷଧ ଓ କ୍ଲିନିକାଲ ପରୀକ୍ଷଣ ନିୟମ, ୨୦୧୯ର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ଭାରତର ଜନସଂଖ୍ୟାରେ କ୍ଲିନିକାଲ ପରୀକ୍ଷଣ ରିହାତି ଦିଆଯିବାକୁ ମଧ୍ୟ ଅନୁରୋଧ କରିଛି ।