ଅଜାଣତରେ ଏଲ୍‌ଓସି ପାର କରିଥିବା ଦୁଇ ଭଉଣୀଙ୍କୁ ଉପହାର ଓ ମିଠା ସହ ପାକିସ୍ତାନକୁ ହସ୍ତାନ୍ତର କଲା ଭାରତ

ନୂଆଦିଲ୍ଲୀ : ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତ ମଧ୍ୟକୁ ଚାଲିଆସିଥିବା ପାକିସ୍ତାନର ଦୁଇ ନାବାଳିକା ଭଉଣୀଙ୍କୁ ଉପହାର ଓ ମିଠା ସହିତ ନିଜ ଦେଶକୁ ଫେରାଇ ଦେଇଛି ଭାରତୀୟ ସେନା। ଏହି ଦୁଇ ନାବାଳିକା ଭଉଣୀ ହେଲେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର କାହୂଟା ତହସିଲ ଅଞ୍ଚଳର ଲୈବା ଜାବେର (୧୭) ଓ ତାର ସାନ ଭଉଣୀ ସାନା ଜାବେର (୧୩)।

ସୂଚନା ଅନୁଯାୟୀ, ଗତ ରବିବାର ଦିନ ଏହି ଦୁଇ ଭଉଣୀ ଭୁଲବଶତଃ ଏଲଓସି ଅତିକ୍ରମ ଭାରତ ସୀମା ମଧ୍ୟକୁ ଚାଲିଆସିଥିଲେ। ଭାରତ ସେନା ସେମାନଙ୍କୁ ଦେଖିବା ପରେ ଅଟକ ରଖି ପଚରାଉଚରା କରିଥିଲେ। ପଚରା ଉଚାର ପରେ ସେନା ଅଧିକାରୀମାନେ ଘଟଣା ସମ୍ପର୍କରେ ଜାଣିପାରିଥିଲେ। ସୋମବାର ସେମାନଙ୍କୁ ଚକନ ଦା ବାଗ (ସିଡିବି) ନିକଟରେ ପାକିସ୍ତାନ ସେନା ଓ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା। ଫେରିବା ସମୟରେ ଲୈବା କହିଛନ୍ତି ‘ଘରକୁ ଫେରିବା ସମୟରେ ଆମେ ବାଟ ଭୁଲି ଭାରତ ସୀମାକୁ ଚାଲିଆସିଥିଲୁ। ଭାରତ ସେନା କର୍ମଚାରୀମାନେ ଆମକୁ ଅଟକାଇ ପଚରାଉଚରା କରିଥିଲେ। ଆମେ ଭାବିଥିଲୁ ସେମାନେ ଆମକୁ ମାଡ ମାରିବେ। ଆମକୁ ଆଉ ଫେରିବାକୁ ଦେବେ ନାହିଁ; ମାତ୍ର ଭାରତ ସେନା ​‌ଅଧିକାରୀମାନେ ଆମକୁ ଭଲ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସେମାନେ ଆମକୁ ଶୀଘ୍ର ଫେରିବାକୁ ଦେଇଛନ୍ତି। ଭାରତ ଲୋକମାନେ ଖୁବ୍ ଭଲ।’