ଭୁବନେଶ୍ୱର, ୮/୧୨ : ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ କୁହାଯାଏ । ଏହି ଦିନଟି ଜ୍ୟେଷ୍ଠଙ୍କ ପାଇଁ ସମର୍ପିତ । ଏହି ଦିନ ବଂଶର ପ୍ରଥମ ଜାତ ସନ୍ତାନ ବା ଜ୍ୟେଷ୍ଠ ପିଲାଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା ଓ ମିଷ୍ଟାନ୍ନ ଭକ୍ଷଣାଦି ହୁଏ। ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ପରେ ପଞ୍ଚପଲ୍ଲବ, ପଞ୍ଚ ଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ। ପ୍ରଥମାଷ୍ଟମୀର ପ୍ରମୁଖ ଖାଦ୍ୟ ହେଉଛି ‘ଏଣ୍ଡୁରି ପିଠା’। ଛେନା, ନଡ଼ିଆପୁର, ଗୁଡ଼, ଉଆପକ୍ଷିଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ପିଠା ତିଆରି କରାଯାଏ। ହଳଦୀ ପତ୍ରର ମହମହ ବାସ୍ନାରେ ପିଠାରେ ସୁଆଦ ଅଧିକ ରୁଚିକର ଲାଗେ।
ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ପ୍ରଚଳିତ ଥିଲା। ଓଡ଼ିଆଘରର ଏଇ ପର୍ବର ଅନ୍ୟ ଏକ ବୈଶିଷ୍ଟ୍ୟ ମଧ୍ୟ ରହିଛି। ଓଡ଼ିଶାରେ ଏହିଦିନ ଭୁବନେଶ୍ବର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ। କୃଷିପ୍ରଧାନ ଆମ ରାଜ୍ୟରେ ଗରିବ, ଧନୀ ନିର୍ବିଶେଷରେ ସମସ୍ତେ ପ୍ରଥମାଷ୍ଟମୀ ପର୍ବ ପାଳନ କରିଥାନ୍ତି।