ସିଡନୀ, ୮/୧୨ : ଆଜି ସିଡ୍ନୀରେ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଖେଳାଯିବ। ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଥିବା ଭାରତ ଏହି ୩ୟ ମୁକାବିଲା ଜିତି ଅଷ୍ଟ୍ରେଲିଆକୁ ମୂଳପୋଛ କରିବାକୁ ଉଦ୍ୟମ କରିବ । ଭାରତୀୟ ସମୟ ଅପରାହ୍ନ ୧ଟା ୪୦ରେ ସିଡିନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ବିରାଟ ବାହିନୀ ପୁଣି ଥରେ ନୂଆଁ ରେକର୍ଡ କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଅପରପକ୍ଷେ ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ଭ୍ରମଣକାରୀ ଦଳକୁ ହରାଇ ଘରୋଇ ଅଷ୍ଟ୍ରେଲିଆ ସାନ୍ତ୍ଵାନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ଥିବା ଶୃଙ୍ଖଳାର ୨ୟ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ-୨୦୨୦ ଟାଇଟଲ ଦେବାରେ ବଡ଼ ଭୂମିକା ତୁଲାଇଥିବା ପାଣ୍ଡ୍ୟା ୨୨ଟି ବଲ ଖେଳି ୪୨ ରନ ସଂଗ୍ରହ କରିଥିଲେ । ଫଳରେ ଅଷ୍ଟ୍ରେଲିଆ ବିରୋଧରେ ୨ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟ ହାସଲ କରିବାକୁ ସହଜ ହୋଇଥିଲା ।
ଅନ୍ତିମ ମ୍ୟାଚରେ ଭାରତ ସାମାନ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଫାଷ୍ଟ ବୋଲିଂ ବିଭାଗକୁ ନଟରାଜନ ଓ ସାର୍ଦୁଳ ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି। ଦୀପକ ଚହରଙ୍କ ବଦଳରେ ନବଦୀପ୍ ସଇନି ଓ ବ୍ୟାଟିଂ ବିଭାଗରେ ଶିଖର ଧାୱନଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିପାରେ। ଭାରତ ସିରିଜ୍ ବିଜୟୀ ହୋଇସାରିଥିବାରୁ ପୂରା ଆତ୍ମବିଶ୍ବାସର ସହ ଖେଳିବ। ଅନ୍ୟପକ୍ଷରେ ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ପୂର୍ବରୁ ଶେଷ ଟ୍ବେଣ୍ଟି୨୦ ବିଜୟ ସହ ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ। ନିୟମିତ ଅଧିନାୟକ ଆରୋନ ଫିଞ୍ଚ, ଓପନର ଡେଭିଡ୍ ୱାର୍ଣ୍ଣର, ମିଚେଲ ଷ୍ଟାର୍କଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।