୯ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ମୌଲାନା ଫେରାର

କାସଗଞ୍ଜ, ୮/୧୨: ଜନପଦ କାସଗଞ୍ଜରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ପାଠ ପଢିବାକୁ ଯାଉଥିବା ଜଣେ ୯ବର୍ଷର ଛାତ୍ରୀଙ୍କୁ ମୌଲାନା ଦୁଷ୍କର୍ମ କରିଛି। ଘଟଣା ଘଟାଇବାପରେ ଅଭିଯୁକ୍ତ ମୌଲାନା ଫେରାର ହୋଇଯାଇଛି। ବର୍ତ୍ତମାନ ପୋଲିସ୍ ପୀଡ଼ିତା ଛାତ୍ରୀଙ୍କୁ ମେଡିକାଲ୍ ପରୀକ୍ଷା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଛି ଏବଂ ପୀଡ଼ିତାଙ୍କ ପରିବାରର ବୟାନରେ ଅଭିଯୁକ୍ତ ମୌଲାନାଙ୍କ ବିରୋଧରେ ସଙ୍ଗୀନ ଧାରାରେ ମାମଲା ରୁଜୁ କରି ମୌଲାନାକୁ ଖୋଜିବା ଆରମ୍ଭ କରି ଦେଇଛି।

କୁହାଯାଉଛି ଯେ ଏହି ପୀଡ଼ିତା ଛାତ୍ରୀ ପ୍ରତିଦିନ ବଡ୍ଡୁ ନଗରର ମୌଲାନା ମୁସ୍ତକିମର ଘରକୁ ପଢ଼ିବାକୁ ଯାଉଥିଲେ। ଛାତ୍ରୀକୁ ପଢ଼ାଉଥିବାବେଳେ ତା’ର କୁଦୃଷ୍ଟି ପୀଡ଼ିତାଙ୍କ ଉପରେ ପଡ଼ିଥିଲା। ସବୁ ସୀମା ଟପି ମୌଲାନା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା। ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ସେ ମୌଲାନା ସମ୍ମୁଖରେ କାନ୍ଦି ବିକଳ ହୋଇଥିଲା କିନ୍ତୁ ମୌଲାନା କିଛି ନଶୁଣି ଦୁଷ୍କର୍ମ କରିଥିଲା। ଛାତ୍ରୀ ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁ କଥା କହିଥିଲା।

ପୀଡ଼ିତାଠୁ ସବୁ କଥା ଶୁଣି ମାଆ ଝିଅର ନ୍ୟାୟ ପାଇଁ ଥାନାକୁ ପହଞ୍ଚିଥିଲେ। ଅଭିଯୁକ୍ତ ଘଟଣା ପରଠୁ ଫେରାର ରହିଛି। ପୋଲିସ୍ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମୌଲାନାକୁ ଖୋଜା ଚାଲିଛି। ଅଭିଯୁକ୍ତ ବିରୋଧରେ ୩୭୬ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି।