ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୃହବନ୍ଦୀ !

ନୂଆଦିଲ୍ଲୀ, ୮/୧୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗୃହବନ୍ଦୀ ହୋଇଛନ୍ତି। ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ କରିଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଟ୍ବିଟ୍‌ କରି ସୂଚନା ଦେଇଛି। ତେବେ ଆପ୍‌ର ଏହି ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୁଲିସ।


ଗତ ସୋମବାର କେଜ୍ରିୱାଲ୍‌ ସିନ୍ଧୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ଭେଟିଥିଲେ। ସେଠାରେ ସେ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଥିବା କହିଥିଲେ। ଏପରି କି ଚାଷୀଙ୍କୁ ଜେଲ୍‌ରେ ପୂରାଇବାକୁ ତାଙ୍କ ଉପରେ ଚାପ ପଡ଼ୁଥିଲା। କିନ୍ତୁ ସେ ରାଜି ହୋଇ ନ ଥିଲେ ବୋଲି କେଜ୍ରିୱାଲ୍‌ କହିଥିଲେ। ସେଠାରୁ ଫେରିବା ପରଠାରୁ କେଜ୍ରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବା ଆପ୍‌ କହିଛି। ବିଜେପି ପ୍ରରୋଚନାରେ ଗୃହ ମନ୍ତ୍ରଣାଳୟ ଇଙ୍ଗିତରେ ପୁଲିସ ଏପରି ପଦକ୍ଷେପ ନେଇଥିବା ଆପ୍‌ କହିଛି।

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବୈଠକ ରଦ୍ଦ କରିଦିଆଯାଇଛି। ଆପ୍‌ ଅଭିଯୋଗ କରି କହିଛି, ଗୃହ ମନ୍ତ୍ରଣାଳୟ ଆଦେଶରେ ପୁଲିସ ଦିଲ୍ଲୀ ନଗର ନିଗମର ୩ ଜଣ ମେୟରଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ମୁଖ୍ୟ ଗେଟ୍‌ ବାହାରେ ଧାରଣାରେ ବସାଇଛି। ଏହି ବାହାନାରେ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ବ୍ୟାରିକେଡିଂ କରିଦେଇଛି। ଯାହା ଫଳରେ କେଜ୍ରିୱାଲ୍‌ ନା କେଜ୍ରିୱାଲଙ୍କୁ କେହି ଭେଟି ପାରିବେ ନା ସେ କେଉଁଆଡେ ବାହାରକୁ ଯାଇପାରିବେ।