ନୂଆଦିଲ୍ଲୀ,୮ /୧୨ : କେନ୍ଦ୍ର ସରକାରଙ୍କ କୃଷି ଆଇନ୍କୁ ପ୍ରତ୍ୟାହାର କରିନେବାକୁ ଦାବି କରୁଥିବା ବିରୋଧୀ ଦଳ ସବୁ ଛଳନାକାରୀ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର୍ କହିଛନ୍ତି। କ୍ଷମତାରେ ଥିବା ସମୟରେ ଏହି ବିରୋଧୀଦଳ ଚୁକ୍ତିଭିତ୍ତିକ କୃଷି ଆଇନ୍ ଲାଗୁ ମଞ୍ଜୁର କରିଥିଲେ ବୋଲି ସେ ଦର୍ଶାଇଛନ୍ତି। ବିରୋଧୀଙ୍କୁ ସମାଲୋଚନା କରି ସେ କହିଲେ, କଂଗ୍ରେସ କୃଷକମାନଙ୍କୁ କିଛି ଦେଇ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ହିଁ ସେମାନଙ୍କୁ ମୂଲ୍ୟ ଦେଉଛନ୍ତି।
କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି, ତୃଣମୂଳ କଂଗ୍ରେସ୍, ତେଲେଙ୍ଗାନା ରାଷ୍ଟ୍ର ସମିତି, ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି, ଶିବସେନା, ବାମପନ୍ଥୀ ଦଳ ସମେତ ଅନ୍ୟାନ୍ୟ ଅନେକ ରାଜନୈତିକ ଦଳ ଆଜି କୃଷକମାନେ ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଏହି ଚାରିଘଣ୍ଟିଆ ବନ୍ଦ ବା ରାଷ୍ଟ୍ରବ୍ୟାପୀ ହରତାଳ ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି।
କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକୱି କହିଛନ୍ତି ଯେ, ପ୍ରତି କଥାରେ ଜନତାଙ୍କୁ ବିଭ୍ରାନ୍ତ କରାଇ ଦେଶର ଭାବମୂର୍ତ୍ତି ନଷ୍ଟ କରିବା ବିରୋଧୀଦଳଙ୍କର ପୁରୁଣା ଅଭ୍ୟାସ। କ୍ଷମତାରେ ଥିବାବେଳେ କଂଗ୍ରେସ, ଏନ୍ସିପି, ଅକାଳୀ ଦଳ ଏବଂ ବାମଦଳମାନେ ଏଭଳି ବିଲ୍କୁ ସମର୍ଥନ କରିଥିଲେ।
ଆଜିର ଭାରତ ବନ୍ଦ ଡାକରାକୁ ମିଶାଇ କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ କୃଷକମାନେ ଚଳାଇଥିବା ପ୍ରତିବାଦ ୧୩ ଦିନରେ ପହଞ୍ଚିଲାଣି। ଦେଶବ୍ୟାପୀ ଧର୍ମଘଟ ଦୃଷ୍ଟିରୁ ହରିୟାଣା ଓ ଦିଲ୍ଲୀର ସିଂଘୁ ସୀମାରେ ବ୍ୟାପକ ନିରାପତ୍ତା ବଳ ମୁତୟନ କରାଯାଇଛି।
କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ମୋଦୀ ଜୀ, କୃଷକମାନଙ୍କ ଠାରୁ ଚୋରି ବନ୍ଦ କରନ୍ତୁ! ଆଜି ଭାରତ ବନ୍ଦ ବୋଲି ସବୁ ଦେଶବାସୀ ଜାଣନ୍ତି। ଏହାକୁ ପୂର୍ଣ୍ଣ ସମର୍ଥନ କରି ଆମ ଅନ୍ନତାଦାଙ୍କ ସଂଘର୍ଷକୁ ସଫଳ କରନ୍ତୁ।