ଜାନୁଆରୀ ୮ ରୁ ଚିଲିକା ବାର୍ଡ ଫେଷ୍ଟିଭାଲ୍

ଭୁବନେଶ୍ୱର,୮ /୧୨: ଆସନ୍ତା ବର୍ଷ ଜାନୁଆରୀ ୮ ରୁ ଆରମ୍ଭ ହେବ ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା ୨୦୨୧। ଏହି ଚିଲିକା ବାର୍ଡ ଫେଷ୍ଟିଭାଲ୍ ଜାନୁଆରୀ ୧୦ ଯାଏଁ ଚାଲିବ । ତେବେ ଏହି ମେଳାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ । ଜଙ୍ଗଲ ଓ ପରିବେଶ ବିଭାଗ ଓ ଓଡ଼ିଶା ଟୁରିଜିମର ମିଳିତ ପ୍ରୟାସରେ ଏହାର ଆୟୋଜନ କରାଯିବ ।

ପକ୍ଷୀପ୍ରେମୀ ଓଡ଼ିଶା ଟୁରିଜିମ୍ ୱେବସାଇଟ୍ ଜରିଆରେ ନିଜକୁ ପଞ୍ଜୀକୃତ କରି ଏ ମେଳାର ସହଭାଗୀ ହୋଇପାରିବେ ବୋଲି କହିଛନ୍ତି ପର‌୍ୟ୍ୟଟନ ନିର୍ଦ୍ଦେଶକ । ଶୀତ ଋତୁରେ ଋଷିଆ ସାଇବେରିଆ, ଚୀନ୍, କାଜାଖସ୍ଥାନ ଭଳି ରାଷ୍ଟ୍ରରୁ ଲକ୍ଷାଧିକ ପକ୍ଷୀ ହଜାର ହଜାର କିଲୋମିଟର ଉଡ଼ି ଚିଲିକାରେ ପହଞ୍ଚିଥାନ୍ତି ଯାହାକୁ ଉପଭୋଗ କରିବାକୁ ଅନେକ ଦୂରରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ ।