ଇପିଏଫ ପେନସନ ରାଶି ବୃଦ୍ଧି ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର,୧୭ /୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଇପିଏଫ ପେନସନଧାରୀଙ୍କ ପେନସନ୍‍ ରାଶି ବୃଦ୍ଧି ଲାଗି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟରେ ପ୍ରାୟ ୧ ଲକ୍ଷ ୬୨ ହଜାର ଇପିଏଫ ପେନ୍‍ସନଧାରୀ ଅଛନ୍ତି। ଅବସର ପରେ ସୀମିତ ଅର୍ଥ ଯୋଗୁଁ ସେମାନେ କଠିନ ପରିସ୍ଥିତିର ସାମ୍ନା କରୁଛନ୍ତି। ତେଣୁ ସେମାନଙ୍କ ଆବେଦନ ପ୍ରତି ସମ୍ବେଦନଶୀଳ ହୋଇ ବିଚାର କରିବା ଲାଗି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ମର୍ମରେ ରାଜ୍ୟସଭା ସଦସ୍ୟ ଭଗତ ସିଂହ କୋଶିୟାରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ୨୦୧୩ରେ ଇପିଏସ-୯୫ ପେନସନଧାରୀଙ୍କର ମାସିକ ପେନସନ୍‍ ରାଶି ବୃଦ୍ଧି ଲାଗି ସୁପାରିଶ କରିଥିଲେ। ଯାହାକି ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଚାରାଧୀନ ରହିଛି।

ଯୁବ ଅବସ୍ଥାରେ ସେମାନେ ଦେଶ ନିର୍ମାଣରେ ଭାଗିଦାର ହୋଇଥିବାରୁ ସମ୍ବେଦନଶୀଳ ହୋଇ ଏହାକୁ ବିଚାର କରିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଅବସର ପରେ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ପେନସନ ଢାଞ୍ଚାରେ ସଂଶୋଧନ କରି ପେନସନ୍‍ ରାଶି ବୃଦ୍ଧି ଲାଗି ଅନୁରୋଧ କରିଛନ୍ତି।