ଭାରତ ପାଇଁ ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍‍ ବିକଶିତ ହେଉଛି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ /୧୨ : ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜାର ଏକ ସ୍ୱଚ୍ଛ ରୋଡମ୍ୟାପକୁ ବିକଶିତ କରାଯାଉଛି ବୋଲି ଗୁରୁବାର ଆସୋସିଏଟେଡ୍‍ ଚାମ୍ବରସ୍‍ ଅଫ୍‍ କମର୍ସ ଆଣ୍ଡ୍‍ ଇଣ୍ଡଷ୍ଟ୍ରି ଅଫ୍‍ ଇଣ୍ଡିଆ(ଆସୋଚାମ୍‍)ର ପ୍ରତିଷ୍ଠା ସପ୍ତାହ -୨୦୨୦ ଅବସରରେ ଆୟୋଜିତ “ଭାରତର ବିକାଶ ପଥରେ ଇନ୍ଧନକୁ ଉର୍ଜାର ରୂପାନ୍ତରଣ” ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଳିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଉର୍ଜା କ୍ଷେତ୍ରକୁ ବୃହତ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଉର୍ଜା ପଦକ୍ଷେପରେ ସାମିଲ ହେବା ପାଇଁ ଭାରତର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନୀ(ଇଣ୍ଡିଆନ ଆଇଏନସି)କୁ ନିମନ୍ତ୍ରଣ କରିବା ସହ ଦେଶରେ ଉର୍ଜା ନ୍ୟାୟ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ଉର୍ଜା ଦାରିଦ୍ର୍ୟକୁ ସମାପ୍ତ କରିବାକୁ ହେବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟଙ୍କ ଜୀବନରେ ଅଧିକ ଉନ୍ନତି ଆଣିବା ପାଇଁ ଅଧିକ ଉର୍ଜାର ଆବଶ୍ୟକତା ରହିଛି। ଆମର ଉର୍ଜା କ୍ଷେତ୍ର ଅଭିବୃଦ୍ଧି କେନ୍ଦ୍ରିକ, ଶିଳ୍ପ ଅନୁକୂଳ ଏବଂ ପରିବେଶ ସନ୍ତୁଳିତ। ଆମର ଜାତୀୟ ବିକାଶ ଏବଂ ଆଗାମୀ ବର୍ଷରେ ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବାରେ ଉର୍ଜା ଏକ ପ୍ରମୁଖ କ୍ଷେତ୍ରର ମାଧ୍ୟମ ହେବ।

ବିଗତ ୬ ବର୍ଷରେ ଭାରତର ଉର୍ଜା କ୍ଷେତ୍ରରେ ଏକ ବଡ଼ ପରିବର୍ତନ ହୋଇଛି। ଯଦ୍ୱାରା ଦେଶରେ ଉର୍ଜା ଦାରିଦ୍ର୍ୟକୁ ଶେଷ କରିବା ଦିଗରେ ଆମର ଏକ ବୃହତ ଇଚ୍ଛାଶକ୍ତି ଦୃଢ ହୋଇଛି। କୋଭିଡ୍‍-୧୯ର ସଂକଟକୁ ଉର୍ଜା କ୍ଷେତ୍ର ସୁଯୋଗରେ ପରିଣତ କରିଛି। କୋଭିଡ-୧୯ର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିରନ୍ତର ସଂସ୍କାର ଏବଂ ସଠିକ୍‍ ଦୂରଦୃଷ୍ଟି ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ବଡ ଖୋରାକ୍‍ ଯୋଗାଇଛି। ଶିଳ୍ପ ସମୂହଙ୍କ ଅଂଶଗ୍ରହଣ ଏବଂ ପୁଞ୍ଜନିବେଶ ସହ ଦେଶର ଉର୍ଜା କ୍ଷେତ୍ର ଅନେକ ସୁଯୋଗ ଆଣିଦେଇଛି।