ସୁରଟ୍ : ସୁରଟର ଏକ ଅଢ଼େଇ ବର୍ଷର ଶିଶୁ ନିଜର ଶେଷ ନିଶ୍ୱାସ ତ୍ୟାଗ ପରେ ଅନ୍ୟ ୫ ଜଣଙ୍କୁ ନୂଆ ଜୀବନ ଦେଇଛି। ନିଜ ଜୀବନ ବଦଳରେ ସେ ପାଞ୍ଚଟା ଜୀବନ ବଞ୍ଚାଇ ଦେଇଛି। ବର୍ତ୍ତମାନ ଏହି ଘଟଣା ସମଗ୍ର ସ୍ଥାନରେ ସଭିଁଙ୍କ ଚକ୍ଷୁରେ ଅଶ୍ରୁ ଭରିଦେବା ସହ ଏଭଳି ମହାନ କାର୍ଯ୍ୟ ପ୍ରତି ମୁଖରେ ଶୁଣିବାକୁ ମିଳୁଛି। ଭଟର୍ ଅଞ୍ଚଳ ସ୍ଥିତ ଶାନ୍ତି ପ୍ୟାଲେସ୍ରେ ରହୁଥିବା ଜାଶ୍ ଓଜା ନିଜ ପଡ଼ୋଶୀଙ୍କ ଘରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ଦ୍ବିତୀୟ ମହଲା ବାଲ୍କୋନିରୁ ଖସି ପଡିବାରୁ ଶିଶୁଟିର ମସ୍ତିଷ୍କରେ ଆଘାତ ଲାଗିଥିଲା। ଏହାପରେ ଡାକ୍ତରମାନେ ତାକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହାପରେ ଜାଶ୍ର ବାପା ମା ସଂଜୀବ ଓଜା ଏବଂ ଅର୍ଚ୍ଚନା ତା’ର ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ଜାଶ୍ ସର୍ବକନିଷ୍ଠ ଶିଶୁ ଭାବେ ନିଜର ହାର୍ଟ୍, ଲିଭର, ଫୁସ୍ଫୁସ୍, କିଡନି ଏବଂ ଆଖି ଦାନ କରିଛି।
ଜାଶ୍ର ହୃତ୍ପିଣ୍ଡ ରୁଷ୍ର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଥିବାବେଳେ ଫୁସ୍ଫୁସ୍ ୟୁକ୍ରେନ୍ର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି। ୨ଟି ଯାକ ପ୍ରତିରୋପଣ ଚେନ୍ନାଇର ଏମ୍ଜିଏମ୍ ହସ୍ପିଟାଲ୍ରେ ବର୍ଷେ ହେଲା ଚିକିତ୍ସିତ ହେଉଥିବା ଏହି ବିଦେଶୀ ଶିଶଙ୍କୁ ଠାରେ କରାଯାଇଛି। ଜାଶ୍ଙ୍କ ଗୋଟିଏ କିଡନି ସୁରେନ୍ଦ୍ରନଗରର ଜଣେ ୧୩ ବର୍ଷୀୟା ଝିଅ ଶରୀରରେ ପ୍ରତିରୋପଣ କରାଯାଇଥିବାବେଳେ ଅନ୍ୟ ଏକ କିଡ୍ନି ଏକ ୧୭ ବର୍ଷୀୟା ଝିଅ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଜାଶ୍ଙ୍କ ଲିଭର୍ ଭାବନଗରର ଜଣେ ୨ ବର୍ଷର ଝିଅର ଜୀବନ ବଞ୍ଚାଇ ଦେଇଛି। ବ୍ରେନ୍ ଡେଡ୍ ଘୋଷଣା ପୂର୍ବରୁ ଜାଶ୍ ଥରେ ‘ମମି’ କହିଥିବାରୁ ଜାଶ୍ର ମା’ ଆଶା ହରାଇ ନଥିଲେ। କିନ୍ତୁ ଅଙ୍ଗଦାନ ପାଇଁ ଉତ୍ସାହିତ କରୁଥିବା ଏବଂ ଏଦିଗରେ କାର୍ଯ୍ୟ କରୁଥିବା ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଡୋନେଟ୍ ଲାଇଫ୍’ ପ୍ରତିଷ୍ଠାତା ନିଳେଶ ମଣ୍ଡଲେୱାଲା ଜାଶ୍ଙ୍କ ମା’ଙ୍କୁ ବୁଝାଇଥିଲେ। ଯଦି ଅଧିକ ସମୟ ଅପେକ୍ଷା କରାଯିବ ତେବେ ଜାଶ୍ଙ୍କ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଗୁଡ଼ିକ କିଛି କାମରେ ଲାଗିବନି ବୋଲି ସେମାନେ ବୁଝାଇଥିଲେ। ଶେଷରେ ଜାଶ୍ଙ୍କ ମା’ ବୁଝିଯାଇଥିଲେ। ସେ ଜାଶ୍କୁ ଆହୁରି ଅଧିକ ଲୋକଙ୍କ ମଧ୍ୟରେ ଜୀବିତ ଦେଖିବାକୁ ଚାହିଥିଲେ ଏବଂ ଜାଶ୍ର ଅଙ୍ଗଦାନ ପାଇଁ ରାଜି ହୋଇଥିଲେ।