ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ : ଭାରତୀୟ ବୋଲରଙ୍କ ଶାଣିତ ବୋଲିଂରେ ଅଷ୍ଟ୍ରେଲିଆ ୧୯୧ ରନରେ ଅଲଆଉଟ୍

ଆଡିଲେଡ୍‌,୧୮ /୧୨ : ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚର ୨ୟ ଦିନରେ ଭାରତ ୨୪୪ ରନ୍‌ରେ ଅଲ୍‌ଆଉଟ୍ ହେବା ପରେ ପ୍ରଥମ ଇନିଂସର ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଘରୋଇ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇନପାରି ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୧ରନରେ ଅଲଆଉଟ୍ ହୋଇଛି। ଫଳରେ ଭାରତ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୫୩ ରନରେ ଆଗୁଆ ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଟିମ୍ ପେନ ସର୍ବାଧିକ ୭୩ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ବ୍ୟତୀତ ମାର୍ସନ ଲାବୁସାନେ ୪୭ ରନର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବ ବେଳେ ଉମେଶ ଯାଦବ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୭୪ ରନ, ଚେତେଶ୍ଵର ପୂଜାରାଙ୍କ ୪୩ ଓ ଆଜିଙ୍କ୍ୟ ରାହାଣେଙ୍କ ୪୨ ରନ ବଳରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ କରିଥିଲା। ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ବିନିମୟରେ ୨୩୩ ରନ୍‌ କରିଥିଲା। ୨ୟ ଦିନର ଖେଳ ଆରମ୍ଭ ହେବା ପରେ ଦଳ ମାତ୍ର ୧୧ ରନ୍‌ ଯୋଡ଼ି ଅଲଆଉଟ୍‌ ହୋଇଯାଇଥିଲା।

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୪ ରନ୍‌ ସଂଗ୍ରହ କରିଥିବାବେଳେ ଚେତେଶ୍ଵର ପୂଜାରା ୪୩ ଏବଂ ଆଜିଙ୍କ୍ୟ ରାହାଣେ ୪୨ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଶେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କ୍ୟୁମିନ୍‌ସ ଘାତକ ବୋଲିଂ ଭାରତୀୟ ଟିମ୍‌ର ଲୋ ସ୍କୋରିଂ ଇନିଂସର କାରଣ ସାଜିଥିଲା। ଷ୍ଟାର୍କ ୨୧ ଓଭର ବୋଲିଂ କରି ୫୩ ରନ୍‌ ବିନିମୟରେ ୪ ୱିକେଟ୍‌ ନେଇଥିବାବେଳେ କ୍ୟୁମିନ୍‌ସ ୨୧.୧ ଓଭରରେ ୪୮ ରନ୍‌ ଦେଇ ୩ ୱିକେଟ୍‌ ଅକ୍ତିଆର କରିଛନ୍ତି।