ଜାନୁଆରି ୩ ତାରିଖରୁ ଖୋଲିବ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର,୧୮ /୧୨: ଆସନ୍ତା ଜାନୁଆରି ୩ ତାରିଖରୁ ସମଲେଶ୍ବରୀ ମନ୍ଦିର ସମେତ ସମ୍ବଲପୁରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଜିଲ୍ଲାପାଳଙ୍କ ଅଫିସରେ ଏସଏମସି କମିସନର ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହୋଇଛି।

ପୁରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ରାଜ୍ୟର ଅନ୍ୟ ଜିଲ୍ଲାର ଧର୍ମାନୁଷ୍ଠାନ ଖୋଲିବା ପାଇଁ ଦାବି ହେଉଥିଲା। ତେବେ, ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନକୁ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ଏ ନେଇ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ବୈଠକରେ କୋଭିଡ ନିୟମ ପାଳନ ସହ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। କୋଭିଡ କଟକଣାର ଉଲ୍ଲଂଘନ ହେଲେ ସଂପୃକ୍ତ ଧର୍ମାନୁଷ୍ଠାନ ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

ସମଲେଶ୍ବରୀ ଏବଂ ଘଣ୍ଟେଶ୍ବରୀ ମନ୍ଦିର ଖୋଲିବା ପରେ ଭିଡ଼ ହେବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ ପାଇଁ ପୁଲିସର ସହାୟତା ନିଆଯିବ ବୋଲି ବୈଠକରେ କୁହାଯାଇଥିଲା। ସମଲେଶ୍ବରୀ ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ସ୍ଥାନୀୟ ଅଧିବାସୀଙ୍କ ପାଇଁ ଖୋଲିବା ନେଇ ଟ୍ରଷ୍ଟ ବୋର୍ଡ ବୈଠକର ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୋର୍ଡ ସଭାପତି ସଂଜୟ ବାବୁ କହିଛନ୍ତି।