ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯୋଜନା କରୁଛି ଭାରତ : ପାକିସ୍ତାନ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ, ୧୯/୧୨ : ଭାରତ ନିଜର ଆଭ୍ୟନ୍ତରୀଣ ବ୍ୟାପାରରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଯୋଜନା କରୁଛି। ଗତକାଲି ଗଣମାଧ୍ୟମ ଆଗରେ ଏପରି ମନ୍ତବ୍ୟ ରଖିଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେଶୀ । ସେ କହିଛନ୍ତି ଯେ, ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ସୂଚନା ମିଳିଛି ଯେ, ଭାରତ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ ।

କୁରେଶି ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଚାଲିଥିବା କୃଷକଙ୍କ ବିରୋଧ, କରୋନା ଭାଇରସ୍ ମହାମାରୀର ଅସନ୍ତୋଷ, ଦଳିତ, ଶିଖ୍ ଏବଂ ମୁସଲମାନ ତଥା ଅର୍ଥନୀତିକୁ ନେଇ ଭାରତ ବର୍ତ୍ତମାନ ଗୁରୁତର ଆଭ୍ୟନ୍ତରୀଣ ସମସ୍ୟାର ସମ୍ମୁଖୀନ ହେଉଛି। ସେଥିପାଇଁ ଏହିସବୁ ମାମଲାରୁ ନଜର ହଟାଇବାକୁ ଭାରତ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଚିନ୍ତା କରୁଛି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନୀ ବିଦେଶ ମନ୍ତ୍ରୀ ୨ ଦିନିଆ ଗସ୍ତରେ ୟୁଏଇରେ ଅଛନ୍ତି । ସେ ଆବୁଧାବୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ବିଶ୍ୱବାସୀଙ୍କୁ କହିବାକୁ ଚାହୁଁଛୁ ଯେ, ଶାନ୍ତି ଏକ ସାମୂହିକ ଦାୟିତ୍ୱ ।