ଲେଉଟିଲା ଶୀତ, ଆଗକୁ ଆହୁରି ଥରାଇବ

ଭୁବନେଶ୍ୱର, ୧୯/୧୨ : ଲେଉଟିଲା ଶୀତ । ଆଗକୁ ଆହୁରି ପ୍ରବଳ ଶୀତ ଅନୁଭବ ହେବ। ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଏଭଳି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦ୍ରର ସୂଚନାନୁଯାୟୀ, ଏବେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଆଡୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଆଭ୍ୟନ୍ତରୀଣ ଜିଲାଗୁଡିକରେ ଶୀତର ପ୍ରଭାବ ଅଧିକ ରହିବ। ପରବର୍ତ୍ତୀ ସମୟରେ ଉପକୂଳ ଜିଲାରେ ମଧ୍ୟ ଥଣ୍ଡା ଅନୁଭୂତ ହେବ। ଆଗାମୀ ସପ୍ତାହେ ଧରି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୫ ଡିଗ୍ରି ରେକର୍ଡ କରାଯାଇଛି। ଆଜି ସକାଳେ ବୌଦ୍ଧ ଓ ‌କୋରାପୁଟଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବ। ବର୍ତ୍ତମାନ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ପାଇଁ ପାଗ ଅନୁକୁଳ ରହିଛି। ଏଣୁ ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଆଦି ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଜି ସକାଳେ ଭୁବନେଶ୍ବରରେ ୧୭.୬ ଡିଗ୍ରି ଓ କଟକରେ ୧୫.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।