ମମତାଙ୍କୁ ବଡ ଧକ୍କା : ଟିଏମସି ଛାଡି ବିଜେପିରେ ସାମିଲ ହେଲେ ୧୧ ବିଧାୟକଙ୍କ ସହ ଜଣେ ସାଂସଦ

କୋଲକାତା, ୧୯/୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଜୋରଦାର ଝଟକା ଲାଗିଛି। ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ଏଭିତରେ ଆଜି ପଶ୍ଚିମବଙ୍ଗର ପ୍ରଭାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । କିଛି ଦିନ ପୂର୍ବରୁ ତୃଣମୂଳ କଂଗ୍ରେସରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ନାଟକୀୟ ଢଙ୍ଗରେ ମନ୍ତ୍ରୀ ପଦ ସହ ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ । ସେତେବେଳେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଧିବଦ୍ଧ ଭାବେ ଶାହାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେବା ପରେ ମେଦିନିପୁରରେ ରାଲିକୁ ସମ୍ବୋଧିତ କରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ପରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା ଲାଗିଛି । କାରଣ ପଶ୍ଚିମବଙ୍ଗରେ ପ୍ରାୟ ୨୦ ରୁ ୨୫ଟି ବିଧାନସଭା କ୍ଷେତ୍ରରେ ଶୁଭେନ୍ଦୁ ଅଧିକାରୀଙ୍କର ଦବଦବା ରହିଛି । ନଭେମ୍ବର ୧୭ରେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ ।

ଶୁଭେନ୍ଦୁ ଅଧିକାରୀ ସମେତ ୧୧ ଜଣ ତୃଣମୂଳ କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୧୧ ଜଣ ବିଧାୟକ, ଜଣେ ସାଂସଦ ଓ ଜଣେ ପୂର୍ବତନ ସାଂସଦ । ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବିଧାୟକମାନେ ହେଲେ ଶୁଭେନ୍ଦୁ ଅଧିକାରୀ, ତାପସୀ ମଣ୍ଡଲ, ଅଶୋକେ ଦିଣ୍ଡା, ସୁଦୀପ ମୁଖାର୍ଜୀ, ସାଇକତ ପଞ୍ଜା, ଶିଳ୍ପଭଦ୍ର ଦତ୍ତା,ଦୀପାଲି ବିଶ୍ବାସ, ସୁକ୍ରା ମୁଣ୍ଡା, ଶ୍ୟାମ୍ପଦା ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡୁ ଏବଂ ବନାସ୍ରୀ ମୈତ୍ରୀ ।

ମମତା ବାନାର୍ଜୀଙ୍କୁ ଟର୍ଗେଟ୍ କରି ଶାହା କହିଛନ୍ତି ‘ଇଏ ତ ଆରମ୍ଭ ମାତ୍ର, ନିର୍ବାଚନ ସମୟରେ ମମତା ଦିଦି ଆପଣ ଏକା ହିଁ ରହିଯିବେ’ ।