ବହୁଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଜଣେ ଗିରଫ

ଭୁବନେଶ୍ୱର,୨୦ /୧୨: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ପରି ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ବଡ଼ ସଫଳତା ମିଳିଛି। ଏସ୍‌ଆଇଟି ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ଜଣକ ଯଦୁପୁର ଗାଁର ହୋଇଥିବା ଜଣାଯାଇଛି।

୧୨ ବର୍ଷରୁ କମ ନାବାଳିକାକୁ ଦୁଷ୍କର୍ମ ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି କେସ୍‌ (୩୭୬-ଏ) ମାମଲା ରୁଜୁ କରିଛି। ସେହିପରି କ୍ରାଇମ୍‌ ବ୍ରାଞ୍ଚ ୩୬୪ (ଅପହରଣ), ୩୦୨, ୨୦୧, ୩୭୬/ଏବି’ରେ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଆସନ୍ତାକାଲି ନୟାଗଡ଼ ପୋକ୍ସା କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ, ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ଆଜି ସକାଳେ ଏସ୍‌ଆଇଟି ଉଠାଇ ନେଇ ପଚରାଉଚରା କରିଥିଲା। ସରୋଜଙ୍କ ମା’ ଓ ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍‌ଆଇଟି ଉଠାଇନେଇଥିଲା। ଆଜି ସକାଳୁ ସକାଳୁ ଏସ୍‌ଆଇଟିର ପ୍ରାୟ ୧୦ ଜଣ ସଦସ୍ୟ ପରୀର ଗ୍ରାମ ଯଦୁପୁରରେ ଅଚାନକ ପହଞ୍ଚି ସରୋଜ ଓ ତାଙ୍କ ପରିବାରବର୍ଗଙ୍କୁ ଉଠାଇ ନେଇଥିଲେ। ସରୋଜ ପରୀ ଘରର ପଡ଼ୋଶୀ ହୋଇଥିବା ବେଳେ, ତାଙ୍କ ବାଡ଼ି ପଛ ପଟୁ ପରୀର ଶବ ଉଦ୍ଧାର ହୋଇଥିଲା। ଏସ୍‌.ଆଇ.ଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ସରୋଜ ଅଭିଯୋଗ ମଧ୍ୟ ଆଣିଥିଲେ। ତାଙ୍କୁ ପରୀ ମାମଲାରେ ଫସାଇବାକୁ ବୋଥ୍ରା ପ୍ରବର୍ତ୍ତାଉଥିବା ଏବଂ ଏଥିଲାଗି ୫ଲକ୍ଷ ଟଙ୍କା ଯାଚୁଥିବା କହିଥିଲେ। ତେଣେ ସରୋଜଙ୍କ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଓଡ଼ିଶା ପୁଲିସ ସ୍ପଷ୍ଟୀକରଣ ରଖିଛି।