କାନପୁର : ଉତ୍ତର ପ୍ରଦେଶ କାନପୁରରେ ଡାକ ବିଭାଗର ବଡ ଅବହେଳା ସାମ୍ନାକୁ ଆସିଛି। ଏଠାରେ ମୁଖ୍ୟ ଡାକଘରରୁ ଅନ୍ତର୍ଜାତୀୟ ମାଫିଆଙ୍କ ଫୋଟୋ ଡାକ ଷ୍ଟାମ୍ପରେ ଛପାଯାଇଛି । ଡାକ ଟିକଟରେ ମୁନ୍ନା ବଜରଙ୍ଗୀ ଓ ଛୋଟା ରାଜନ ଭଳି ମାଫିଆଙ୍କ ଫୋଟ ଛପାଯାଇଛି । ଏହି ଟିକେଟ୍ ମାଧ୍ୟମରେ ଦେଶର ଯେକୌଣସି ସ୍ଥାନକୁ ଚିଠି ପଠାଯାଇପାରିବ । ଏହି ଘଟଣା ସାମନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଡାକ ସହାୟକଙ୍କୁ ନିଲମ୍ବିତ କରାଯାଇଛି ।
ଖବର ଅନୁଯାୟୀ, ଛୋଟା ରାଜନ ଏବଂ ମୁନ୍ନା ବଜରଙ୍ଗୀଙ୍କ ଷ୍ଟାମ୍ପ ଭାରତୀୟ ଡାକ ବିଭାଗର ‘ମୋ ଷ୍ଟାମ୍ପ’ ଯୋଜନା ଅଧୀନରେ ଛପା ଯାଇଥିଲା। ପାଞ୍ଚ ଟଙ୍କାର ୧୨ଟି ଡାକ ଷ୍ଟାମ୍ପ ଛୋଟା ରାଜନ ଏବଂ ୧୨ଟି ଡାକ ଷ୍ଟାମ୍ପ ମୁନ୍ନା ବଜରଙ୍ଗୀର ଥିଲା । ଏହି ଯୋଜନା ଅନ୍ତର୍ଗତ ଟିକେଟ୍ ଛାପିବା ପୂର୍ବରୁ ଫଟୋଗ୍ରାଫଗୁଡିକୁ ଯାଞ୍ଚ କରାଯାଇ ନଥିଲା କିମ୍ବା କୌଣସି ପ୍ରକାରର ପ୍ରମାଣପତ୍ର ମଧ୍ୟ ଦେଖାଯାଇନଥିଲା ।