ଗୁଜରାଟ,୨୯ /୧୨: ଗୁଜରାଟର ଭରୁଚ ଆସନରୁ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ମନସୁଖ ବସାୱା ବିଜେପିରୁ ଇସ୍ତଫା ଦେଇଛନ୍ତି। ଖୁବଶୀଘ୍ର ସେ ସଂସଦର ସଦସ୍ୟ ପଦରୁ ବି ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମନସୁଖଙ୍କୁ ବାରମ୍ବାର ଦଳରେ ଉପେକ୍ଷା କରାଯାଉଥିବାରୁ ସେ ଏଥିରେ ଅତିଷ୍ଠ ହୋଇ ଇସ୍ତଫା ଦେଇଛନ୍ତି। ସେ ଗତ ମୋଦୀ ସରକାରରେ ରାଷ୍ଟ୍ରମନ୍ତ୍ରୀ ରହିଥିଲେ। ମନସୁଖ ରାଜ୍ୟର ଜେଣ ଆଦିବାସୀ ନେତା ଭାବେ ଜଣାଶୁଣା।
ଏହାପୂର୍ବରୁ ମନସୁଖ ରାଜ୍ୟରେ ଆଦିବାସୀ ମହିଳା ଚୋରା ଚାଲାଣ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ସୂଚନା ଦେଇଥିଲେ। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପ୍ରସଙ୍ଗରେ ଏକ ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ମନସୁଖ ଷ୍ଟାଚ୍ୟୁ ଅଫ୍ ୟୁନିଟି ଚାରିପାଖରେ ଇକୋ-ସେନ୍ସିଟିଭ୍ ଜୋନ୍ ବାତିଲ କରିବାକୁ ଦାବି କରିଥିଲେ। ବାସ୍ତବରେ ଏହି ଅଞ୍ଚଳରେ ରହୁଥିବା ଆଦିବାସୀମାନେ ଏ ସମ୍ପର୍କରେ ଦାବି କରିଥିଲେ। ଏହା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।