ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଭୁବନେଶ୍ୱର ପକ୍ଷରୁ ଏହାର ଏମ୍ବିଏ, ବିବିଏ, ଏମ୍ଏଜେଏମ୍ସି, ବିଏଜେଏମ୍ସି, ଏମ୍.କମ୍, ବି.କମ୍.ଏବଂ ଅର୍ଥନୀତିରେ ସ୍ନାତକୋତ୍ତର ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାବର୍ତ୍ତନ ଉତ୍ସବ କୋଭିଡ୍-୧୯ ନିୟମାନୁଯାୟୀ ଭର୍ଚୁଆଲ ମୋଡ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜିୟୁ ବୋର୍ଡ ଅଫ୍ ଗଭର୍ନସର ସଦସ୍ୟ ଏବଂ ବିମ୍ଟେକ୍ ଗ୍ରେଟର ନୋଏଡାର ନିର୍ଦ୍ଦେଶକ ପ୍ରଫେସର ହରିବଂଶ ଚତୁର୍ବେଦୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଚତୁର୍ବେଦୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ଦୃଢତାର ସହ ସମ୍ମୁଖୀନ ହେବାକୁ ଆହ୍ୱାନ କରିଥିଲେ । ସେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତକୁ ନେଇ ଆଶାବାଦୀ ରହିବାକୁ ପରାମର୍ଶ ଦେଇଥିଲେ କାରଣ ପରବର୍ତ୍ତୀ ଦୁଇ ଦଶନ୍ଧି ସମସ୍ତ କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ମୂଳକ ଅଭିବୃଦ୍ଧିର ସାକ୍ଷୀ ରହିବ ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ ମୋଡ୍ ମାଧ୍ୟମରେ ସଂଗଠିତ ହୋଇ ଏହାକୁ ସଫଳ କରିଥିବାରୁ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିଥିଲେ । ବିଜିୟୁ ବୋର୍ଡ ଅଫ୍ ଗଭର୍ନସର ସଦସ୍ୟ ବିକାଶ କାଣ୍ଡୋଇ ମଧ୍ୟ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ କେବଳ ଉତ୍କର୍ଷତା ସହିତ ମୂଲ୍ୟବୋଧର ଉତ୍ତରାଧିକାରୀଭାବେ ମଶାଲ ଧାରଣ କରିବା ନୁହେଁ ପରନ୍ତୁ ଏଠାରୁ ଅର୍ଜନ କରିଥିବା ଜ୍ଞାନ ଦ୍ୱାରା ମଧ୍ୟ ସମାଜରେ ଉନ୍ନତି ଆଣିବା ଆବଶ୍ୟକ । ଏହି ଅବସରରେ ବିଜିୟୁ କୁଳପତି ପ୍ରଫେସର ପି. ପି. ମାଥୁର ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନା କରିବା ସହ ଭବିଷ୍ୟତ ଯୋଜନା ଗୁଡ଼ିକ ସଂପର୍କରେ ଆଲୋଚନା କରିଥିଲେ ଏବଂ ଏଥି ସହ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ସ୍ୱାଗତ ଜଣାଇଥିଲେ ।
ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ପରମେଶ୍ୱର ନାୟକ, ସ୍କୁଲ୍ ଅଫ୍ କମର୍ସର ଡିନ୍ ପ୍ରଫେସର ସାମସନ୍ ମହାରଣା ସ୍ନାତକ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଭାଗରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ସମସ୍ତ ବିଭାଗର ଟପ୍ପରମାନଙ୍କ ତାଲିକା ଉପସ୍ଥାପନା କରିଥିଲେ । ରେଜିଷ୍ଟ୍ରାର ବି.କେ ଦାସ ସମାବର୍ତ୍ତନ ଉତ୍ସବକୁ ପରିଚାଳନା କରିଥିଲେ । ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ବିମଳ ଚନ୍ଦ୍ର ମିଶ୍ର ଏବଂ ଡଃ ଅର୍ଚ୍ଚନା ଚୌଧୁରୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବ୍ୟାଚ ଟପ୍ପର ସୃଷ୍ଟି ପାତ୍ର(ଏମବିଏ), ସୁଦେଷ୍ଣା ଦାସ ପଟ୍ଟନାୟକ(ଏମ୍ଏଜେଏମ୍ସି), ସହିସ୍ତା ତସ୍ନିମ୍(ଏମ୍. କମ୍), ସୁନିଲ ସ୍ୱରୂପ(ଅର୍ଥନୀତି), ମହମ୍ମଦ ଜାଭେଦ୍(ବିବିଏ), ଅନ୍ୱେଷା ନନ୍ଦୀ(ବିଏଜେଏମ୍ସି), ସଞ୍ଚିତା ଦାସ(ବି. କମ୍)ଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା ।