କିଟ୍ ଓ କିସ୍ ପରିଦର୍ଶନ କଲେ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ
କିସ୍-ମୟୂରଭଞ୍ଜରେ ହେବ ଆନ୍ତର୍ଜାତିକ ମାନର ଫୁଟବଲ୍ ଏକାଡେମୀ
ଭୁବନେଶ୍ୱର, ୩୦/୧୨: ଭାରତର ମୁଖ୍ୟ ମହାଲେଖାକାର ଓ ମହାସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ ବୁଧବାର ସପତ୍ନୀକ କିଟ୍ ଓ କିସ୍ ପରିଦର୍ଶନ କରିଥିଲେ । ଶ୍ରୀ ମୁର୍ମୁ ଓ ତାଙ୍କ ପତ୍ନୀ ସ୍ମିତା ଶୁକ୍ଳା ମୁର୍ମୁ କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍ ବୁ୍ଲି ଦେଖିବା ସହ କିସ୍ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ଏହି ଅବସରରେ କିସ୍-ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ମୁର୍ମୁ କହିଥିଲେ । କୋଭିଡ୍ କଟକଣା ମଧ୍ୟରେ କିସରେ ଆୟୋଜିତ ଏକ ସଂକ୍ଷିପ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ଶ୍ରୀ ମୁର୍ମୁଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହିଥିଲେ । କିସ୍-ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟ୍ବଲ୍ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ମୁର୍ମୁଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ଏହା ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ତଥା ଓଡ଼ିଶାର ବହୁ ପ୍ରତିଭାବାନ ଫୁଟବଲ୍ ଖେଳାଳି ଉପକତୃ ହୋଇପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ ।

ଏହି ଅବସରରେ କିସ୍-ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ଦିଗରେ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ମୁର୍ମୁ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ଶ୍ରୀମତୀ ମୁର୍ମୁ କହିଲେ କିସ୍ ବିଶ୍ୱର ଏକମାତ୍ର ଅନୁଷ୍ଠାନ ଯେଉଁଠାରେ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ରଖି ସେମାନଙ୍କୁ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା ଆଦି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଯତ୍ନ ନିଆଯାଉଛି । ଏହା ସହଜ କାର୍ଯ୍ୟ ନୁହେଁ । ଅଚ୍ୟୁତ ସାମନ୍ତ ଉତ୍ସର୍ଗୀକୃତ ଭାବେ ଜୀବନବ୍ୟାପୀ ଜନଜାତି ପିଲାଙ୍କ ଉନ୍ନତ୍ତି ପାଇଁ ଯେତେ ସବୁ କାମ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ମୁର୍ମୁ ଓ ଶ୍ରୀମତୀ ମୁର୍ମୁ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟ ଲେଖାକାର ବିଭୂଦତ୍ତ ବସନ୍ତିଆ, କିସ୍ ବିଶ୍ୱବିଦ୍ୟାଳର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।