ନବକଳେବର ହେବ SCB ମେଡିକାଲ କଲେଜ, ଖର୍ଚ୍ଚ ହେବ ୩୫୦୦ କୋଟି : ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା

ଭୁବନେଶ୍ୱର,୩୧ /୧୨: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହେଉଛି ଓଡିଶାବାସୀଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ବିଶ୍ୱାସର କେନ୍ଦ୍ର । ସେଥିପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହିି ସମ୍ମାନଜନକ ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ଅନୁଷ୍ଠାନ ଭାବରେ ବିକଶିତ କରିବା ଲକ୍ଷ୍ୟ ନେଇ ୫-ଟି କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟକାରୀ କରାଯିବ। ସାଧାରଣ ଲୋକଙ୍କୁ ମିଳିବ ଉନ୍ନତ ଚିକିତ୍ସା ସେବା । ଏହିି ଯୋଜନାରେ ଭିତ୍ତିଭୂମିର ବିକାଶ ସହିତ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ । ୨୦୨୧ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ନୂଆ ଯୁଗର ସଂକେତ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ ଦୀର୍ଘ ଦିନ ଧରି ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସୁନାମ କରିଛି। ଏଠାରେ ପଢିଥିବା ଡାକ୍ତରମାନେ ସାରା ପୃଥିବୀରେ ସେମାନଙ୍କର ଦକ୍ଷତା ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି। ଦେଶରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଓଡ଼ିଶାର ଲୋକ ଏହିଠାରେ ହିଁ ଉନ୍ନତ ଚିକିତ୍ସା ପାଇପାରିବେ। ସମସ୍ତଙ୍କ ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏକ ମର୍ଯ୍ୟାଦାଜନକ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ୩୫୦୦ କରାଯିବ ଏବଂ ଦ୍ୱିତୀୟ ପଯ୍ୟାୟରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ। ୩ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥ ଆଦିି ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ। ଏହି ହସ୍‌ପିଟାଲର ଉନ୍ନତି ସହିତ କ୍ରୀଡା ଓ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ତମ ପରିମବଶ ସୃଷ୍ଟି କରାଯିବ।