ସମ୍ବଲପୁର, ୨/୧ :ସମ୍ବଲପୁର ସ୍ଥିତ ଆଇଆଇଏମ ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ହେବ । ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶିଳାନ୍ୟାସ କରିବେ । ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ସାମିଲ ହେବେ । ଏନେଇ ପିଏମଓ ସୂତ୍ରରୁ ସୂଚନା ଦିଆଯାଇଛି। ଏହି ଶିଳାନ୍ୟାସ ଉତ୍ସବ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅତିଥି, ଶିଳ୍ପପତି, ଆଲମୁନିୀ ସମେତ ମୋଟ ୫୦୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।
ସୂଚନାଯୋଗ୍ୟ, ଏହି କ୍ୟାମ୍ପସ୍ ପାଇଁ ମୋଟ ୪୦୧.୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୨୦୨୨ ସୁଦ୍ଧା କ୍ୟାମ୍ପସ୍ ନିର୍ମାଣ ଶେଷ ହେବାର ଲକ୍ଷ୍ୟ ରହିଛି । ଦୀର୍ଘ ୫ ବର୍ଷ ହେଲା ସମ୍ବଲପୁର ଆଇଆଇଏମ ବୁର୍ଲା ଜ୍ୟୋତି ବିହାର ୟୁନିଭରସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି । ନବନିର୍ମିତ ପରିସର ଗୋଶାଳା ନିକଟରେ ବସନ୍ତପୁରରେ ହେବ । ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇଏମ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, ଏହି ଅନୁଷ୍ଠାନ କେବଳ ବୃହତ ଶିଳ୍ପାନୁଷ୍ଠାନଙ୍କ ପାଇଁ ନୁହେଁ, ବରଂ ଆଂଚଳିକ ବୁଣାକାର ଓ କୃଷକଙ୍କୁ କିଭଳି ଅଧିକ ସୁବିଧା ଦେଇପାରିବ, ସେନେଇ ଚିନ୍ତା କରାଯାଉଛି ।