ମକର ସଂକ୍ରାନ୍ତିରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, କେତୋଟି ପାହାଚ ଚଢ଼ି ଭକ୍ତ କରିବେ ଦର୍ଶନ, ଜାଣନ୍ତୁ ?

ବାରାଣାସୀ : ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସର ସାଧାରଣ ସମ୍ପାଦକ ତଥା ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଚମ୍ପତ ରାୟ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ମକର ସଂକ୍ରାନ୍ତିରୁ ଆରମ୍ଭ ହେବ। ରାୟ କହିଛନ୍ତି ଯେ ଦେଶର ବଡ ବଡ ଇଞ୍ଜିନିୟର୍ ଏବଂ ବୈଜ୍ଞାନିକମାନେ ମନ୍ଦିରକୁ ମଜବୁତ ଏବଂ ଦୀର୍ଘାୟୁ କରିବା ପାଇଁ କାର୍ଯ୍ୟ କରୁଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାୟ କହିଛନ୍ତି ଯେ ମୁମ୍ବାଇ, ଗୁଆହାଟୀ ଏବଂ ଚେନ୍ନାଇରେ ଅବସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବିଶେଷଜ୍ଞମାନେ ମନ୍ଦିରକୁ ମଜବୁତ କରିବା ପାଇଁ ନିୟୋଜିତ ଅଛନ୍ତି। ମନ୍ଦିରର ନକ୍ସା ମକର ସଂକ୍ରାନ୍ତି ପୂର୍ବରୁ ପ୍ରସ୍ତୁତ ହୋଇଯିବ | ସେ କହିଛନ୍ତି ଯେ ମନ୍ଦିରର ଲମ୍ବ ୩୬୦ ଫୁଟ ଏବଂ ପ୍ରସ୍ଥ ୨୩୫ ଫୁଟ ହେବ। ମନ୍ଦିରର ଉଚ୍ଚତା ୧୬୧ ଫୁଟ ହେବ | ସେ ଆହୁରି ମଧ୍ୟ କହିଥିଲେ ଯେ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କୁ ୩୨ଟି ପାହାଚ ଚଢ଼ି ସାଢେ ଷୋହଳ ଫୁଟ ଉପରକୁ ଯିବାକୁ ପଡିବ।